ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ (ଏସଏସ୍ଆର୍‌ବି) ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତିକୁ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ଭଲ ଆଚରଣ ଦୃଷ୍ଟିରୁ କାରାଗାର ସେବା ମହାନିର୍ଦ୍ଦେଶକ ଏବଂ କେନ୍ଦୁଝର ଜେଲ୍ କର୍ତ୍ତୃପକ୍ଷ ଦାରାଙ୍କୁ ମୁକ୍ତି ପାଇଁ ସୁପାରିସ କରିଥିଲେ। ହେଲେ ଏବେ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ବାରମ୍ବାର ଭର୍ତ୍ସନା ପରେ ଏସ୍ଏସ୍ଆର୍‌ବି ଦାରା ସିଂଙ୍କ ଆଗୁଆ ମୁକ୍ତିକୁ ଖାରଜ କରିଛି, ଏହା ଅଶାନ୍ତି ସୃଷ୍ଟି କରିପାରେ ବୋଲି ବୋର୍ଡ ଆଶଙ୍କା ଦର୍ଶାଇଛି । ବିଜୁ ଜନତା ଦଳ ସରକାର ସମୟରେ ଭାଜପା ନେତାମାନେ ଦାରା ସିଂଙ୍କୁ ତୁରନ୍ତ ମୁକ୍ତି କରିବା ପାଇଁ ଦାବି କରିଆସୁଥିଲେ । ଏବେ ଦୁର୍ଦ୍ଦାନ୍ତ ମାଓନେତା, ଅନେକ ହତ୍ୟା ଓ ଅପରାଧ ଘଟଣାରେ ସାମିଲ ଥିବା ଆଜାଦ ଖୋଲାରେ ବୁଲିପାରୁଥିଲା ବେଳେ ଏହା ଅଶାନ୍ତର ବାତାବରଣ ରାଜ୍ୟରେ ସୃଷ୍ଟି କରୁନାହିଁ ମାତ୍ର ଦାରା ସିଂ ମୁକ୍ତ ହେଲେ ଅଶାନ୍ତ ସୃଷ୍ଟି ହୋଇପାରେ ବୋଲି ବୋର୍ଡର ଏହି ନିଷ୍ପତ୍ତି ସ୍ପଷ୍ଟ କରୁଛି ଯେ ଦାରାଙ୍କୁ ଛାଡ଼ିବା ପାଇଁ ଚାହୁଁ ନାହାନ୍ତି ‘ହିନ୍ଦୁ’ ସରକାର। ଏବେ ଅପେକ୍ଷା ୧୭ରେ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଉପରେ।

ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ୭୬ ବର୍ଷୀୟ ଦାରା ସିଂ ୨୬ବର୍ଷ ୬ମାସରୁ ଅଧିକ ସମୟ ଧରି ଜେଲ୍‌ରେ ଅଛନ୍ତି । ରାଜ୍ୟର ୨୦୨୨ ଦଣ୍ଡାଦେଶ ହ୍ରାସ ନୀତି ଅନୁଯାୟୀ ତାଙ୍କ ଦଣ୍ଡାଦେଶ ହ୍ରାସ ବିଚାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏହା ଉପରେ ବିଚାର ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ୨୦୨୪ରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦାରା ସିଂ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାରେ ବିଳମ୍ବ ପାଇଁ ତିନି ତିନିଥର ଭର୍ତ୍ସନା କରିସାରିଲେଣି। ପୂର୍ବ ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଚେତାଇ ଦେଇଥିଲେ ଯେ ୧୦ ଦିନ ଭିତରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ନିଷ୍ପତ୍ତି ନନେଲେ ଅଧିକାରୀଙ୍କୁ ତଲବ କରାଯିବ । ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷୋୟୀଙ୍କ ଖଣ୍ଡପୀଠ ଦାରା ସିଂଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ କରିଛନ୍ତି ।

ଆଉ ଏହାର ଠିକ୍ ପୂର୍ବରୁ ଏସଏସ୍ଆର୍‌ବି ଦାରାଙ୍କ ସମୟ ପୂର୍ବରୁ ମୁକ୍ତ ଆବେଦନକୁ ଖାରଜ କରିଛି । ଏହା ପୂର୍ବରୁ ସାଂପ୍ରଦାୟିକ ସଦ୍‌ଭାବନା ପ୍ରତି ବିପଦର କାରଣ ଦର୍ଶାଇ ବୋର୍ଡ ୨୦୧୬, ୨୦୧୯, ୨୦୨୦, ୨୦୨୨ ଏବଂ ୨୦୨୩ରେ ସମୟ ପୂର୍ବ ମୁକ୍ତିକୁ ଖାରଜ କରିଥିଲା। ଏବେ ଷଷ୍ଠଥର ପାଇଁ ଖାରଜ କରିଛି।

ପୂର୍ବରୁ ଅଗଷ୍ଟ ୧୫ରେ ଦାରା ସିଂ କେନ୍ଦୁଝର ଜେଲରୁ ମୁକ୍ତ ହେଉଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଦାରାଙ୍କୁ ସାଗତ କରିବା ପାଇଁ ଅନେକ ଆସିଥିଲେ ଜେଲ୍ ପାଖକୁ। ହେଲେ ଦାରାଙ୍କୁ ମୁକୁଳାଯାଇ ନଥିଲା। ଆଉ ଏହି ଘଟଣାକୁ ଦୃଷ୍ଟିରେ – ରଖି ଅଗଷ୍ଟ ୩୧ରେ ବୋର୍ଡର ସତନ୍ତ୍ର ବୈଠକ ବସିଥିଲା ଏବଂ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ସମୟ ପୂର୍ବ ମୁକ୍ତିକୁ ବୋର୍ଡ ଖାରଜ କରିଦେଇଥିଲା। ଏଥିରେ ବୋର୍ଡ ପକ୍ଷରୁ କେନ୍ଦୁଝର ଜିଲ୍ଲା ପ୍ରଶାସନର ରିପୋର୍ଟକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିଲା ବେଳେ ସେ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା। ଦାରା ସିଂଙ୍କୁ ମୁଖ୍ୟ ଦୋଷୀ ଭାବେ ଦଣ୍ଡିତ କରାଯାଇଥିଲା ବେଳେ ୨୦୦୩ରେ ସିବିଆଇ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ୨୦୦୫ରେ ଅନ୍ୟ ୧୧ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲା ବେଳେ ଦାରାଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।

 

Leave a Reply

Your email address will not be published. Required fields are marked *