ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ହାଇକୋର୍ଟରୁ ଜାମିନ ପାଇବାର ମାତ୍ର କିଛି ଦିନ ମଧ୍ୟରେ ସେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ଜଣେ ପ୍ରମୁଖ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗରେ ଗୋସାଣୀ ନୂଆଗାଁ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଦାଲତୀ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି।

ଏହି ସମ୍ବେଦନଶୀଳ ମାମଲାରେ କେବଳ ପୂର୍ବତନ ବିଧାୟକ ନୁହଁନ୍ତି, ବରଂ ବିଜେଡି ନେତା ମଦନ ଦଳାଇ ଏବଂ ବ୍ରହ୍ମପୁର ଜେଲ୍‌ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାମ ମଧ୍ୟ ସାମିଲ ରହିଥିବା ସୂଚକ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ।

ମିଳିଥିବା ସୂଚନା ଅନୁଯାୟୀ, ଜେଲ୍‌ ଭିତରୁ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍‌ ବ୍ୟବହାର କରି ସାକ୍ଷୀଙ୍କୁ ଧମକାଯାଇଥିବା ଅଭିଯୋଗ ହୋଇଛି। ଜେଲ୍‌ ସିସିଟିଭି ଫୁଟେଜ୍‌ରୁ ବାର୍ତ୍ତାଳାପ ସମ୍ପର୍କିତ ସ୍ପଷ୍ଟ ପ୍ରମାଣ ମିଳିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଗୋସାଣୀ ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ମଦନ ଦଳାଇଙ୍କ ନାଁରେ ମଧ୍ୟ ଧମକାଇବା ଅଭିଯୋଗରେ ସାନି ମାମଲା ରୁଜୁ କରାଯାଇଛି। ସେହିପରି ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରଶାସନକୁ ଚିଠି ଲେଖିଛି।

ଚର୍ଚ୍ଚିତ ଆଇନଜୀବୀ ପୀତାମ୍ବର ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ପୂର୍ବରୁ ଗିରଫ ହୋଇଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ହାଇକୋର୍ଟ ତାଙ୍କୁ ସସର୍ତ୍ତ ଜାମିନ ମଞ୍ଜୁର କରିଥିଲେ, ଯେଉଁଥିରେ ସାକ୍ଷୀମାନଙ୍କୁ କୌଣସି ପ୍ରକାରେ ପ୍ରଭାବିତ କିମ୍ବା ଧମକ ନଦେବା ପାଇଁ କଡ଼ା ନିର୍ଦ୍ଦେଶ ରହିଥିଲା। ମାତ୍ର ଜାମିନ ଅବଧି ମଧ୍ୟରେ ସାକ୍ଷୀଙ୍କୁ ଧମକ ଅଭିଯୋଗ ଆସିବା ପରେ ତାଙ୍କ ଜାମିନ ରଦ୍ଦ ହେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

 

 

 

Leave a Reply

Your email address will not be published. Required fields are marked *