ରାଜ୍ୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟର ଧୀମା ଗତି ଏବଂ ନିମ୍ନମାନର ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୩ ଜଣ ବିଜେପି ସାଂସଦ। ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ୬୮୦ କୋଟି ଟଙ୍କାର ସମ୍ବଲପୁର-ସୋନପୁର ସଡ଼କ ପ୍ରକଳ୍ପର ସଂସ୍ଥା ବଦଳାଇବାକୁ ଦାବି କରିଛନ୍ତି। ରାସ୍ତା ଓସାରିଆ ଏବଂ ମଜବୁତୀକରଣ କାମରେ କୌଣସି ଅଗ୍ରଗତି ହେଉ ନଥିବାରୁ ଏହାର ତଦାରଖ ଦାୟିତ୍ୱ ସୋନପୁର R&B ଡିଭିଜନକୁ ହସ୍ତାନ୍ତର କରିବାକୁ ସେ ପ୍ରସ୍ତାବ ଦେଇଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବାଇପାସ୍ ନିର୍ମାଣରେ ଅତ୍ୟଧିକ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଡିସେମ୍ବର ୨୦୨୪ରେ ୨୪ ମାସର ଲକ୍ଷ୍ୟ ନେଇ ଠିକା ଦିଆଯାଇଥିବା ବେଳେ ୨୧ ମାସ ପରେ ବି ମାତ୍ର ୧୦% କାମ ଶେଷ ହୋଇଥିବାରୁ ସେ ଏହାର ସରକାରୀ ତଦନ୍ତ ସହ ଦୋଷୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଇଓଭର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି। କାମରେ ବିଳମ୍ବ ଯୋଗୁଁ ଟ୍ରାଫିକ୍ ସମସ୍ୟା, ଧୂଳି ପ୍ରଦୂଷଣ ଓ ବ୍ୟବସାୟୀଙ୍କ କ୍ଷତି ହେଉଥିବାରୁ ଏହାର ସ୍ୱାଧୀନ ଟେକ୍ନିକାଲ ଅଡିଟ୍ କରିବାକୁ ସେ ଦାବି କରିଛନ୍ତି। କେବଳ ପ୍ରକଳ୍ପ ଘୋଷଣା କିମ୍ବା ଶିଳାନ୍ୟାସରେ ସୀମିତ ନରହି, ନିର୍ଦ୍ଧାରିତ ସମୟ ମଧ୍ୟରେ ଗୁଣାତ୍ମକ ମାନ ବଜାୟ ରଖି କାର୍ଯ୍ୟ ଶେଷ କରିବାକୁ ସାଂସଦମାନେ ଦୃଢ଼ ଦାବି କରିଛନ୍ତି। Post navigation Fire Breaks Out in MKCG Medical College: ଏମକେସିଜି ମେଡିକାଲ ଗାଇନୋକୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ