ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୈଠକରେ ୧୦,୭୮୩ କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚରେ ଖଡ଼ଗପୁର-ଝାରସୁଗୁଡ଼ା ୪ର୍ଥ ଲାଇନ୍ ସମେତ ୩ଟି ରେଳ ବହୁ-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ପ୍ରସ୍ତୁତ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଅତ୍ୟଧିକ ଟ୍ରାଫିକ୍ ନିୟନ୍ତ୍ରଣ ହେବା ସହ ଯାତ୍ରୀ ଓ ମାଲ ପରିବହନ ସୁଗମ ହୋଇପାରିବ।

ମଞ୍ଜୁରୀ ପାଇଥିବା ୩ଟି ପ୍ରକଳ୍ପ ହେଲା; ଖଡ଼ଗପୁର-ଝାରସୁଗୁଡ଼ା  ୪ର୍ଥ ଲାଇନ୍, କଟନୀ-ପେନ୍ଦ୍ରା ରୋଡ୍ ୪ର୍ଥ ଲାଇନ୍, ବିଲାସପୁର (ଉସଲାପୁର)-ପେନ୍ଦ୍ରା ରୋଡ୍ ୩ୟ ଲାଇନ୍ । ଏହି ୩ଟି ପ୍ରକଳ୍ପ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ୧୪ଟି ଜିଲ୍ଲା ଦେଇ ଅତିକ୍ରମ କରିବ। ଏହାଦ୍ୱାରା ମୋଟ ୬୫୬ କିଲୋମିଟର ନୂତନ ରେଳ ନେଟୱାର୍କ ଯୋଡ଼ିହେବ। ପ୍ରାୟ ୪,୭୯୦ଟି ଗାଁର ୫୬ ଲକ୍ଷ ଜନସଂଖ୍ୟା ଏହି ସମ୍ପ୍ରସାରିତ ରେଳ ନେଟୱାର୍କ ଦ୍ୱାରା ଉପକୃତ ହେବେ। ୨୦୨୯-୩୦ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାସହ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପ୍ରସିଦ୍ଧ ତାରାତାରିଣୀ ପୀଠ, ଝାରସୁଗୁଡ଼ା ନିକଟସ୍ଥ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ ମନ୍ଦିର ଏବଂ ମଲ୍ହାର ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରି ପ୍ରମୁଖ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କେନ୍ଦ୍ରଗୁଡ଼ିକୁ ଯାତାୟାତ ଆହୁରି ସହଜ ହେବ।

କୋଇଲା, ସିମେଣ୍ଟ, ଲୁହା ଓ ଇସ୍ପାତ ପରି ଭାରୀ ସାମଗ୍ରୀ ପରିବହନ ପାଇଁ ଏହି ରୁଟ୍‌ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷମତା ବୃଦ୍ଧି ଦ୍ୱାରା ବାର୍ଷିକ ଅତିରିକ୍ତ ୨୭ ନିୟୁତ ଟନ୍ ମାଲ ପରିବହନ ସମ୍ଭବ ହେବ। ପରିବେଶ ଦୃଷ୍ଟିକୋଣରୁ, ଏହା ଦ୍ୱାରା ପରିବହନ ଖର୍ଚ୍ଚ କମିବା ସହ ପ୍ରାୟ ୧୨ କୋଟି ଲିଟର ତେଲ ଆମଦାନୀ ହ୍ରାସ ପାଇବ ଏବଂ ୬୨ କୋଟି କିଲୋଗ୍ରାମ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ କମିବ

Leave a Reply

Your email address will not be published. Required fields are marked *