ଓଡ଼ିଶାର ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ବସବାସ କରୁଥିବା ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ଓ ଗବେଷକଙ୍କ ପ୍ରବେଶ ଉପରେ ଦୀର୍ଘଦିନ ଧରି ରହିଥିବା କଟକଣାର ପୁନର୍ବିଚାର ହେବ। ତେବେ ସମସ୍ତ ନିଷିଦ୍ଧ ଅଞ୍ଚଳକୁ ଏକାଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ପରିବର୍ତ୍ତେ, ପର୍ଯ୍ୟଟନ ସମ୍ଭାବନା ଥିବା ଚୟନିତ ଗାଁ ଓ ଅଞ୍ଚଳକୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ବିଚାର କରାଯିବ। ଏଥିପାଇଁ ସୁରକ୍ଷା ପରିସ୍ଥିତି ସହିତ PVTG ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଉପରେ ଏହାର ସମ୍ଭାବ୍ୟ ସାମାଜିକ ଓ ସାଂସ୍କୃତିକ ପ୍ରଭାବର ଆକଳନ କରାଯିବ। ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧ ତାରିଖରେ ହୋଇଥିବା ବୈଠକର ନିଷ୍ପତ୍ତି ଆଧାରରେ ପରବର୍ତ୍ତୀ ପଦକ୍ଷେପ ଆରମ୍ଭ ହୋଇଛି। ସେପ୍ଟେମ୍ବର ୫ରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏ ସମ୍ପର୍କରେ ଡିଜିପି (ଆଣ୍ଟି-ନକ୍ସାଲ୍ ଅପରେସନ୍) ଏବଂ ଡାଇରେକ୍ଟର ଇଣ୍ଟେଲିଜେନ୍ସଙ୍କୁ ଚିଠି ଲେଖି ସୁରକ୍ଷା ପରିସ୍ଥିତିର ଆକଳନ ଓ ରିପୋର୍ଟ ଦେବାକୁ କହିଛନ୍ତି। ୨୦୦୭ର କଟକଣାର ପୁନର୍ବିଚାର: ପର୍ଯ୍ୟଟନ ବିଭାଗର ଚିଠି ଅନୁଯାୟୀ, ୨୦୦୭ ମସିହାରେ ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ PVTG ବସବାସ କରୁଥିବା କିମ୍ବା ଯେଉଁଠାରେ ସେମାନଙ୍କର ଅଧିକ ଉପସ୍ଥିତି ରହିଛି, ସେହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଓ ଗବେଷକଙ୍କ ଗସ୍ତ ନିୟନ୍ତ୍ରିତ ରହିଛି। ଏବେ ରାଜ୍ୟର ସୁରକ୍ଷା ପରିସ୍ଥିତିରେ ଆସିଥିବା ପରିବର୍ତ୍ତନ ଏବଂ ଏହି ଅଞ୍ଚଳଗୁଡ଼ିକର ବଢ଼ୁଥିବା ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ପୁରୁଣା କଟକଣାକୁ ପୁନଃ ପରୀକ୍ଷା କରିବା ପ୍ରସ୍ତାବ ରହିଛି। ବର୍ତ୍ତମାନ କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ । ଏହି ୬ଟି ଜିଲ୍ଲାର କିଛି ଗାଁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ନିଷିଦ୍ଧ ତାଲିକାରେ ରହିଛି। ଏହି ତାଲିକାରୁ ପର୍ଯ୍ୟଟନ ଦୃଷ୍ଟିରୁ ସମ୍ଭାବନାପୂର୍ଣ୍ଣ ଗାଁ ଓ ସ୍ଥାନଗୁଡ଼ିକୁ ପର୍ଯ୍ୟଟନ ବିଭାଗ ଚିହ୍ନଟ କରିବ। ସୁରକ୍ଷା ରିପୋର୍ଟ ପରେ ନିଷ୍ପତ୍ତି: କଟକଣା କୋହଳ ପୂର୍ବରୁ ଅଞ୍ଚଳଗୁଡ଼ିକର ସୁରକ୍ଷା ପରିସ୍ଥିତି ନେଇ ଡିଜିପି (ଆଣ୍ଟି-ନକ୍ସାଲ୍ ଅପରେସନ୍) ଓ ଇଣ୍ଟେଲିଜେନ୍ସ ୱିଙ୍ଗ୍ର ଆକଳନ ନିଆଯିବ। ବିଶେଷକରି ନିଷିଦ୍ଧ ଗାଁଗୁଡ଼ିକରେ ବିଦେଶୀ ପର୍ଯ୍ୟଟକ କିମ୍ବା ଗବେଷକଙ୍କ ନିୟନ୍ତ୍ରିତ ପ୍ରବେଶ ହେଲେ କୌଣସି ସୁରକ୍ଷାଜନିତ ପ୍ରଭାବ ପଡ଼ିବ କି ନାହିଁ, ଏବଂ ଆବଶ୍ୟକ ହେଲେ କେଉଁ ସର୍ତ୍ତ, ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ଗ୍ରହଣ କରାଯିବ। ସେସବୁ ଦିଗ ରିପୋର୍ଟରେ ଅନୁଧ୍ୟାନ କରାଯିବ। ପର୍ଯ୍ୟଟନ ବିଭାଗ ଇଣ୍ଟେଲିଜେନ୍ସ ଓ ଆଣ୍ଟି-ନକ୍ସାଲ୍ ଅପରେସନ୍ ୱିଙ୍ଗ୍ଠାରୁ ଏହି ଆକଳନ ମାଗିଥିବା ବେଳେ, ST & SC Development Department ଠାରୁ ମଧ୍ୟ PVTG ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଉପରେ ସମ୍ଭାବ୍ୟ ସାମାଜିକ ଓ ସାଂସ୍କୃତିକ ପ୍ରଭାବ ସମ୍ପର୍କରେ ରିପୋର୍ଟ ମଗାଯାଇଛି। ଉଭୟ ଦିଗରୁ ମିଳିଥିବା ତଥ୍ୟକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସମ୍ପୃକ୍ତ ବିଭାଗଗୁଡ଼ିକୁ ସେପ୍ଟେମ୍ବର ୨୦ ସୁଦ୍ଧା ଆବଶ୍ୟକ ଆକଳନ ଓ ସୂଚନା ଦେବାକୁ କୁହାଯାଇଛି। ଏହାପରେ ପ୍ରସ୍ତାବକୁ ଷ୍ଟାଟ୍ୟୁଟୋରୀ କମିଟି ସମ୍ମୁଖରେ ରଖାଯାଇ ବିଚାର ଓ ଅନ୍ତିମ ନିଷ୍ପତ୍ତି ନିଆଯିବ। ଅର୍ଥାତ୍, ଏ ପର୍ଯ୍ୟନ୍ତ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଯାଇନାହିଁ; ବରଂ ତାହାକୁ କୋହଳ କରିବା ପାଇଁ ପ୍ରଶାସନିକ ପ୍ରକ୍ରିୟା ଚାଲିଛି। ସମଗ୍ର ଅଞ୍ଚଳ ନୁହେଁ, ଚୟନିତ ଗାଁ ଉପରେ ଗୁରୁତ୍ୱ: ବୈଠକରେ ସ୍ପଷ୍ଟ କରାଯାଇଛି ଯେ କଟକଣା କୋହଳ ହେଲେ ମଧ୍ୟ ସମଗ୍ର ନିଷିଦ୍ଧ ତାଲିକାକୁ ଏକାଥରେ ଖୋଲାଯିବ ନାହିଁ। କେବଳ ପର୍ଯ୍ୟଟନ ସମ୍ଭାବନା ଥିବା ଚୟନିତ ଗାଁକୁ ନେଇ ବିଚାର କରାଯିବ। ଏଥିପାଇଁ ପ୍ରଥମେ ପର୍ଯ୍ୟଟନ ବିଭାଗ ସମ୍ଭାବନା ଥିବା ସ୍ଥାନ ଚିହ୍ନଟ କରିବ। ପରେ ସୁରକ୍ଷା ଓ ଆଦିବାସୀ ସମାଜ ଉପରେ ପ୍ରଭାବ ସମ୍ପର୍କିତ ରିପୋର୍ଟକୁ ଆଧାର କରି କମିଟି ନିଷ୍ପତ୍ତି ନେବ। ବୈଠକରେ କୋରାପୁଟର ଏଭଳି ଏକ ନିଷିଦ୍ଧ ତାଲିକାଭୁକ୍ତ ଗାଁରେ ସାଂସ୍କୃତିକ ଉତ୍ସବ ଆୟୋଜନ କରି ଓଡ଼ିଶାର ସମୃଦ୍ଧ ଆଦିବାସୀ ଐତିହ୍ୟକୁ ଦେଶବିଦେଶରେ ପ୍ରଦର୍ଶନ କରିବାର ସମ୍ଭାବନା ଖୋଜିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପର୍ଯ୍ୟଟକ ସୁରକ୍ଷା ପାଇଁ ୩୧ ଟୁରିଷ୍ଟ ପୋଲିସ ସେଲ୍: PVTG ଅଞ୍ଚଳରେ ପର୍ଯ୍ୟଟନ ବିକାଶ ସହିତ ରାଜ୍ୟର ସାଧାରଣ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବାକୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି। ଅଗଷ୍ଟ ୧ରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ୩୧ଟି ଟୁରିଷ୍ଟ ପୋଲିସ ସେଲ୍ (TPC) ସ୍ଥାପନ ପାଇଁ ୪୦୦ଟି ନିୟମିତ ପଦବୀ ସୃଷ୍ଟିର ପ୍ରସ୍ତାବ ବିଚାର କରାଯାଇଛି। ଏହି ଟୁରିଷ୍ଟ ପୋଲିସ ସେଲ୍ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବ। ପ୍ରତ୍ୟେକ ସିଫ୍ଟରେ ଅନ୍ତତଃ ଜଣେ ମହିଳା ପୋଲିସ ଅଧିକାରୀ ରହିବେ। ନିୟମିତ ପଦବୀରେ ନିଯୁକ୍ତି ଶେଷ ହେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ବ୍ୟବସ୍ଥା ଭାବେ ସମ୍ପୃକ୍ତ ଏସ୍ପିଙ୍କ ମାଧ୍ୟମରେ ୩୦୦ ଜଣ ସ୍ପେଶାଲ୍ ପୋଲିସ ଅଫିସର (SPO) ମୁତୟନ ପାଇଁ ମଧ୍ୟ ସହମତି ହୋଇଛି। ଏହି ପଦକ୍ଷେପରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କୁ ପର୍ଯ୍ୟଟନ ସମ୍ପର୍କିତ ଦାୟିତ୍ୱ ପାଇଁ ବିଶେଷ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହେବ। ଜଳଭିତ୍ତିକ ପର୍ଯ୍ୟଟନସ୍ଥଳୀରେ ଲାଇଫଗାର୍ଡ ବ୍ୟବସ୍ଥା: ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଜଳଭିତ୍ତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଲାଇଫଗାର୍ଡ ମୁତୟନ ନେଇ ମଧ୍ୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ରାଜ୍ୟର ବିଭିନ୍ନ ଜଳଭିତ୍ତିକ ପର୍ଯ୍ୟଟନସ୍ଥଳୀ ପାଇଁ ୩,୪୨୦ ଜଣ ହୋମଗାର୍ଡ ଲାଇଫଗାର୍ଡଙ୍କ ଆବଶ୍ୟକତା ଆକଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ଭିଡ଼ ଏବଂ ଅଧିକ ବିପଦ ଥିବା ସ୍ଥାନରେ ୧,୦୧୦ ଜଣ ଲାଇଫଗାର୍ଡ ମୁତୟନକୁ ପ୍ରାଥମିକତା ଦିଆଯିବ। ଅବଶିଷ୍ଟ ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରିବାର ପ୍ରସ୍ତାବ ରହିଛି। ଏଥିପାଇଁ ଆବଶ୍ୟକ ମାନବସମ୍ବଳ, ଭିତ୍ତିଭୂମି, ଉପକରଣ, ପ୍ରଶିକ୍ଷଣ ଓ ପରିଚାଳନା ଖର୍ଚ୍ଚ ସମେତ ବିସ୍ତୃତ ଆର୍ଥିକ ଆକଳନ ପ୍ରସ୍ତୁତ କରିବାକୁ ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଛି। ସାମଗ୍ରିକ ଭାବେ, ରାଜ୍ୟ ସରକାର ଏକପଟେ PVTG ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ବିକଶିତ କରିବା ନେଇ ପଦକ୍ଷେପ ନେଉଥିବା ବେଳେ ଅନ୍ୟପଟେ ସୁରକ୍ଷା, ଆଦିବାସୀ ସଂସ୍କୃତି ଓ ସାମାଜିକ ପ୍ରଭାବକୁ ସମାନ ଗୁରୁତ୍ୱ ଦେଇ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ତେଣୁ ନିଷିଦ୍ଧ ଅଞ୍ଚଳଗୁଡ଼ିକରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସୁରକ୍ଷା ଓ ସାମାଜିକ ପ୍ରଭାବ ସମ୍ପର୍କିତ ରିପୋର୍ଟ ଏବଂ ଷ୍ଟାଟ୍ୟୁଟୋରୀ କମିଟିର ବିଚାର ପରେ ହିଁ ହେବ। Post navigation जंतर-मंतर पर विरोध प्रदर्शनकारी लॉ स्टूडेंट को जारी नोटिस पर भड़का सुप्रीम कोर्ट CM Mohan Majhi Receives Grand Welcome in UAE Ahead of Odisha Investors’ Meet