ରାଜ୍ୟରେ ପୁଣି ବର୍ଷା ସମ୍ଭାବନା। ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଏବଂ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଏହା ସୃଷ୍ଟି ହେବାର ସମ୍ଭାବନା ଅଧିକ। ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ରୂପ ନେଇପାରେ। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍। ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ କେନ୍ଦ୍ରୀୟ ଭାରତ ଆଡ଼କୁ ଗତି କରିପାରେ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ଏହି ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ନିମ୍ନଚାପ ରେଖା ସକ୍ରିୟ କ୍ରିୟ ଅଛି। ଏହା ପ୍ରଭାବରେ ୯ରୁ ବର୍ଷା ବଢ଼ିବ। ୧୦ ଓ ୧୨ ତାରିଖ ବେଳକୁ ଅଧିକ ବର୍ଷା ହେବ। ପ୍ରଥମେ ଉତ୍ତର ଓଡ଼ିଶା ଓ ପରେ ଉପକୂଳ, ମଧ୍ଯ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିପାରେ। ୧୪ ତାରିଖ ବେଳକୁ ଏହା ସ୍ଥଳଭାଗକୁ ପଳାଇବା ଯୋଗୁ ରାଜ୍ୟରେ ବର୍ଷା ଧୀରେ ଧୀରେ କମିପାରେ।

ଅନ୍ୟପଟେ ଆଜି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କାଁ ଭାଁ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଆସନ୍ତା ୯ ତାରିଖରୁ ବର୍ଷା ବଢିବା ସହ ମୟୂରଭଞ୍ଜ ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ସହ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ କିଛି କିଛି ଅଞ୍ଚଳରେ ଭଲ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁଁ ୟେଲୋ ଆଲର୍ଟ ଜାରି କରିଛି।

Leave a Reply

Your email address will not be published. Required fields are marked *