ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହୋଇଛି । ଖବର ପାଇ ବନ ବିଭାଗ ଟିମ୍ ପହଁଚି ସମସ୍ତ ଓରାଙ୍ଗଉଟାନକୁ ଉଦ୍ଧାର କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ଓଡ଼ିଶାର ଏହି ଉପକୂଳବର୍ତ୍ତୀ ଜଙ୍ଗଲକୁ ଏହି ବିଦେଶୀ ତଥା ବିରଳ ଜୀବମାନେ କିପରି ଏବଂ କେଉଁଠାରୁ ଆସିଲେ, ତାହା ନେଇ ତଦନ୍ତ ଆରମ୍ଭ କରାଯାଇଛି । ଓରାଙ୍ଗଉଟାନ ସାଧାରଣତଃ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳିନଥାଏ। ତେବେ ଏହି ଜୀବକୁ ଦେଖିବା ପାଇଁ ଭିଡ ଜମିଛି। ଅନ୍ୟପଟେ ଏହି ବିରଳ ବନ୍ୟଜନ୍ତୁ ଠାବ ହେବା ପଛରେ ଅନ୍ତର୍ଜାତୀୟ ସ୍ମଗଲିଂ ବା ଚୋରାଚାଲାଣର ସନ୍ଦେହ କରାଯାଉଛି ବୋଲି ପିସିସିଏଫ୍ ପ୍ରେମ ଚା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ବନ ବିଭାଗ କରିବ ଏବଂ ପୋଲିସକୁ ମଧ୍ୟ ଏହାର ଖୋଳତାଡ଼ କରିବାକୁ କୁହାଯାଇଛି। ମୁଖ୍ୟତଃ ଦେଶର କେବଳ ଦୁଇ ତିନୋଟି ସ୍ଥାନରେ ଏହି ପ୍ରାଣୀ କ୍ଵଚିତ ଦେଖାଯାନ୍ତି। ଓଡ଼ିଶାରେ ପୂର୍ବରୁ ଓରାଙ୍ଗଉଟାନ ଦେଖାଯିବାର କୌଣସି ନଜରକୁ ଆସିନାହିଁ। ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ଏକ ସ୍ୱତନ୍ତ୍ର ଟିମ୍ ଭୋଗରାଇ ଅଭିମୁଖେ ବାହାରି ସାରିଛନ୍ତି।ଆସିବା ପରେ ଏହି ୫ଟି ଯାକ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସୁରକ୍ଷା ଦୃଷ୍ଟିରୁ କ୍ୱାରେଣ୍ଟାଇନରେ ରଖାଯିବ। Post navigation Constable Ashutosh Mrudangia Death Case: କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ Odisha CM Begins 5-Day UAE Visit: ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ