ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ସମଗ୍ର ଭାରତ ସହିତ ଓଡ଼ିଶାର ପୁରପଲ୍ଲୀରେ ଏହା ମହାସମାରୋହରେ ପାଳିତ ହୁଏ।

କଂସର କାରାଗାରରେ ବାସୁଦେବ ଓ ମା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ବାଳକୃଷ୍ଣ । ଆଉ ଦିନକୁ ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ । ଏଥିପାଇଁ ସାରା ଦେଶ ଆଜି ଉତ୍ସବ ମୁଖର ।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସହ ସନ୍ଧ୍ୟାରେ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ଧୂପ ଭୋଗ ଛେକ ଆସିବା ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଆସିଥିଲେ । ଦେବକୀଙ୍କ ଅଷ୍ଟମ ଗର୍ଭ ବିନାଶର କାରଣ ହେବ ଶୂନ୍ୟବାଣୀ ହେବା ପରେ କଂସ ରାଜା ଭଉଣୀ ଦେବକୀ ଏବଂ ବାସୁଦେବଙ୍କୁ ବନ୍ଦୀ କରିଦେଇଥିଲେ । କଂସ ଗୋଟି ଗୋଟି କରି ଦେବକୀଙ୍କର ସାତଟି ପିଲାଙ୍କୁ ଜନ୍ମ ହେବା ମାତ୍ରେ ମାରି ଦେଇଥିଲେ । କିନ୍ତୁ ଅଷ୍ଟମ ଗର୍ଭରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଏହା ପରେ ଗୋପପୁରରେ ନନ୍ଦ ରାଜା ଏବଂ ମା ଯଶୋଦାଙ୍କ ପାଖରେ ବଡ଼ ହୋଇଥିଲେ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଆଉ ଶ୍ରୀକୃଷ୍ଣ ଆଗମନରେ ସାରା ସଂସାର ନିସ୍ତବ୍ଦ ହୋଇଯାଇଥିଲା । ସାରା ସଂସାର ସେ ରାତିରେ ଶୋଇ ପଡ଼ିଥିଲା । ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତା ବାସୁଦେବଙ୍କୁ କହିଥିଲେ । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଯମୁନା ନଦୀ ପାର ହୋଇଥିଲେ । ସେପଟେ କଂସଙ୍କ ପିତା ରାଜା ଉଗ୍ରସେନ ବାସୁଦେବଙ୍କୁ ଦେଖି ବାଟ ଓଗାଳିଥିଲେ । କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ବିଶ୍ୱ ରୂପ ଦେଖିବା ପରେ ଆପେ ଆପେ ବାଟ ଛାଡ଼ି ଦେଇଥିଲେ ଉଗ୍ରସେନ । ସେଥିପାଇଁ ଆଜିର ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *