ଭାରତୀୟ ଖାଦ୍ୟ ନିଗମ (FCI) ରାଜ୍ୟରୁ ଚାଉଳ ଉଠାଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏକ ସଭାରେ ବକ୍ତବ୍ୟ ରଖି ସେ ଆପଣାର ଅସହାୟତା ପ୍ରକାଶ କରିବା ସହ ଏଫସିଆଇ ର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଚାଉଳ ଉଠାଣରେ ବିଳମ୍ବ ହେଉଥିବା ଯୋଗୁଁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି । ଏଫ୍ସିଆଇ ନିଜେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଅନୁସାରେ ଚାଉଳ ଉଠାଇବାରେ ବିଫଳ ହୋଇଛି। “ଏଫ୍ସିଆଇ କେତେବେଳେ କେମିତି ଆମକୁ ବହୁତ କଠିନ ପରିସ୍ଥିତି ମଧ୍ୟକୁ ଠେଲିଦିଏ। ଚାଉଳ ଉଠାଇବା ପାଇଁ ଆମକୁ ଲକ୍ଷ୍ୟ ଦିଆଯାଇଥିଲା, ମାତ୍ର ଏପର୍ଯ୍ୟନ୍ତ ତାହା ଉଠାଯାଇ ନାହିଁ। ଏହି ବିଷୟରେ ଆଲୋଚନା କରିବା ପାଇଁ ମୁଁ ବାରମ୍ବାର ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ଆଉ ମଧ୍ୟ କହିଛନ୍ତି ଆମକୁ ଏହି ଗୋଟିଏ ସମସ୍ୟା ବହୁତ ବାଧୁଛି ଏବଂ ଏହି କଥା ମୁଁ ଏଫ୍ସିଆଇ ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ କହୁଛି। ଓଡ଼ିଶାରେ ଧାନ ଉତ୍ପାଦନ ବୃଦ୍ଧିକୁ ନେଇ କୌଣସି ଚିନ୍ତା ନାହିଁ। ମାତ୍ର ସମୟସୀମା ମଧ୍ୟରେ କଷ୍ଟମ ମିଲ୍ଡ ଚାଉଳ (CMR) ଉଠାଯାଇ ପାରୁ ନଥିବାରୁ ରାଜ୍ୟ ସରକାର ଚିନ୍ତିତ।” ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ପ୍ରାୟ ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ ସୁନିଶ୍ଚିତ କରୁଛନ୍ତି। ମାତ୍ର ସଂଗୃହୀତ ଧାନକୁ ଯଦି ଚାଉଳରେ ପରିଣତ କରି ଉଠାଯାଇ ନପାରିବ, ତେବେ ରାଜ୍ୟରେ ଧାନ ସଂଗ୍ରହ ଜାରି ରଖିବା କଷ୍ଟକର ହୋଇପଡ଼ିବ। ଆମ ହାତ ବାନ୍ଧି ହୋଇଯାଉଛି, ଯଦି ଚାଉଳ ଉଠା ନଯାଏ ତେବେ ଧାନ ସଂଗ୍ରହ କରିବା ମୁସ୍କିଲ ହୋଇପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ ସେ ପୁଣିଥରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି। ଓଡ଼ିଶାରୁ ୨୦ ଜଣ ଲୋକସଭା ସାଂସଦ ନିର୍ବାଚିତ ହୋଇଛନ୍ତି, ତେଣୁ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବି ରଖିବାର ଅଧିକାର ରାଜ୍ୟର ରହିଛି ବୋଲି ସେ ଜୋର ଦେଇ କହିଛନ୍ତି। ଏହା ସହିତ, ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଥିବାରୁ ଯୋଗାଣ ନିଗମର ପ୍ରଶଂସା କରିଥିଲେ। ସମୟସୀମା ମଧ୍ୟରେ ଧାନ ସଂଗ୍ରହ, ଚାଷୀଙ୍କୁ ତୁରନ୍ତ ଅର୍ଥ ପ୍ରଦାନ ଏବଂ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସମୟସୀମା ମଧ୍ୟରେ ରାସନ ବଣ୍ଟନ ପାଇଁ ନିଗମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। Post navigation Former katak Mayor Soumendra Ghosh Passes Away: କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ ISRO Launches EOS-05, India’s First Geosynchronous Imaging Satellite, Into Orbit