ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରି ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର କଳାକାରମାନେ ସାମିଲ ଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ଆଦିବାସୀ ଓ ଲୋକନୃତ୍ୟ ଦଳଗୁଡ଼ିକ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନରେ ପ୍ରଭାବିତ ହୋଇ ରାଷ୍ଟ୍ରପତି ମୁର୍ମୁ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ସହ ଆଲୋଚନା ସମୟରେ ରାଷ୍ଟ୍ରପତି ମୁର୍ମୁ କଳାକାରମାନଙ୍କ ଭଲମନ୍ଦ ଓ ଅନୁଭୂତି ବିଷୟରେ ପଚାରି ବୁଝିଥିଲେ। ପାରମ୍ପରିକ କଳା ଓ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଅଭ୍ୟାସ ଏବଂ ପ୍ରଚାର-ପ୍ରସାର କରିବା ସମସ୍ତଙ୍କର ଯୌଥ ଉତ୍ତରଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଯୁବ କଳାକାରମାନଙ୍କୁ ନିଷ୍ଠାର ସହ ପାଠପଢ଼ିବା, ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା, ଆତ୍ମନିର୍ଭରଶୀଳ ହୋଇ ପରିବାର ଓ ନିଜ ଅଞ୍ଚଳ ପାଇଁ ସୁନାମ ଆଣିବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷ କରି ଗଞ୍ଜାମର ‘ସୌରା’ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଥିଲେ। Post navigation Mayurbhanj Receives Extremely Heavy Rain: ଓଡ଼ିଶାରେ ପ୍ରବଳ ବର୍ଷା: ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯ ମି.ମି.ରେକର୍ଡ Former MLA Bikram Panda Walks Out of Jail After Orissa HC Grants Bail