ରାଜ୍ୟର ଚାଷୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଆଶ୍ୱାସନାପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ ୭ ଦିନ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଶେଷ ସୂଚନା ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିଲା। ମାତ୍ର ବିଭିନ୍ନ ଗ୍ରାମାଞ୍ଚଳ ଓ ସୁଦୂର ଅଞ୍ଚଳରେ ନେଟୱାର୍କ ସମସ୍ୟା ହେତୁ ବହୁସଂଖ୍ୟକ ଚାଷୀ ନିଜର ନାମ ପଞ୍ଜୀକରଣ କରିପାରିନଥିଲେ। ଚାଷୀଙ୍କ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସରକାର ପଞ୍ଜୀକରଣ ସମୟସୀମା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଚାଷୀ ସଫଳତାର ସହ ପଞ୍ଜୀକରଣ କରିସାରିଛନ୍ତି। ଗତବର୍ଷ ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଯେଉଁ ଅଞ୍ଚଳଗୁଡ଼ିକରେ ସର୍ଭର ବା ନେଟୱାର୍କ ସମସ୍ୟା ରହିଛି, ସେ ସମ୍ପର୍କରେ ବୈଷୟିକ ଟିମ୍ ସହ ବିଶେଷ ଆଲୋଚନା କରାଯାଇ ସମସ୍ୟାର ଦୂରୀକରଣ ପାଇଁ ପଦକ୍ଷେପ ନିଆଯାଉଛି। କୌଣସି ବି ଯୋଗ୍ୟ ଚାଷୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି।ଏହି ନିଷ୍ପତ୍ତି ଫଳରେ ଯେଉଁ ଚାଷୀମାନେ ପଞ୍ଜୀକରଣରୁ ବାକି ରହିଯାଇଥିଲେ, ସେମାନଙ୍କୁ ଆଉ ଏକ ସୁଯୋଗ ମିଳିଛି।ପଞ୍ଜୀକରଣର ଅବଧି ବୃଦ୍ଧି ପାଇବା ଫଳରେ ବାକି ରହିଯାଇଥିବା ଯୋଗ୍ୟ ଚାଷୀମାନେ ନିଜର ନାମ ପଞ୍ଜୀକରଣ କରି ସରକାରୀ ସୁବିଧାର ଲାଭ ଉଠାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। Post navigation CM’s Strict Action on Maintenance: ପତ୍ନୀ-ସନ୍ତାନଙ୍କୁ ଭରଣପୋଷଣ ନଦେଲେ କଟିବ ଦରମା: ବେପରୁଆ ସରକାରୀ କର୍ମଚାରୀଙ୍କ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ