ଆଜି ରାଜ୍ୟ ସରକାରଙ୍କ ୧୨ଟି ବିଭାଗରେ ସମୁଦାୟ ୭,୨୯୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାଦଶ ନିଯୁକ୍ତିମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ-୨୦୨୫ ରେ ଯୋଗ ଦେଇ ୧୨ ଟି ବିଭାଗର ୩୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ନବନିଯୁକ୍ତଙ୍କ ମଧ୍ୟରୁ ଗୃହ ବିଭାଗରେ ନିଯୁକ୍ତି ପାଇଥିବା କେନ୍ଦୁଝର ଜିଲ୍ଲାର ବନସିଂହ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖୋର୍ଦ୍ଧା ଜିଲ୍ଲାର ସସ୍ମିତା ପ୍ରଧାନ, ଜଙ୍ଗଲ ବିଭାଗରେ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲାର ଦେବେନ୍ଦ୍ର ପଡିଆମି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ନିଯୁକ୍ତି ପାଇଥିବା ଜଗତସିଂହପୁର ଜିଲ୍ଲାର ଅନ୍ୱେଷା ରାୟ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି ରାଜ୍ୟ ସରକାରଙ୍କର ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ସରକାରୀ ଚାକିରୀ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ୧୨ଟି ବିଭାଗ ମଧ୍ୟରେ ଗୃହ ବିଭାଗରେ ୧,୯୭୯ ଜଣ କନଷ୍ଟବଳ ଓ ୩୮୬ ଜଣ ଡ୍ରାଇଭର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧,୯୧୩ ଜଣ ସ୍ନାତକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ୨୪୧ ଜଣ ପିଜିଟି, ଉଚ୍ଚଶିକ୍ଷା ବିଭାଗରେ କନିଷ୍ଠ ସହାୟକ, ୭ ଜଣ PET ଏବଂ ୩୧ ଜଣ Laboratory Assistant cum Store Keeper, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୨୪ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୬୪୮ ଜଣ ପ୍ରାଣୀଧନ ନିରୀକ୍ଷକ, ସୂଚନା ଓ ଲୋକସମ୍ପର୍କ ବିଭାଗରେ ୩୯ ଜଣ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଯୁକ୍ତି ପାଇଛନ୍ତି । ସେହିପରି, ଖଣି ଓ ଭୂ-ତତ୍ତ୍ୱ ନିର୍ଦ୍ଦେଶାଳୟରେ ୧୪ ଜଣ କନିଷ୍ଠ ରସାୟନବିତ୍, ବାଣିଜ୍ୟ ଓ ପରିବହନ ବିଭାଗରେ ୧୭ ଜଣ କନିଷ୍ଠ ଷ୍ଟେନୋଗ୍ରାଫର୍, ଜଙ୍ଗଲ ଓ ପରିବେଶ ବିଭାଗରେ ୧୫୦୪ ଜଣ ଫରେଷ୍ଟଗାର୍ଡ ଓ ୨୪୬ ଜଣ ଫରେଷ୍ଟର, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୭ ଜଣ ସହକାରୀ କୃଷି ଅଧିକାରୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗରେ ୧୫ ଜଣ ପାରାମେଡିକ୍ସ ଷ୍ଟାଫ୍, ଜଳସମ୍ପଦ ବିଭାଗରେ ୩୬ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Mechanical), ଏହାସହିତ ପ୍ରଥମଥର କରି ଆଡଭୋକେଟ ଜେନେରାଲ ଅଫିସ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୪୦ ଜଣ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ । ପ୍ରଥମରୁ ଏଥିପାଇଁ ଆମେ ଉଦ୍ୟମ ଆରମ୍ଭ କରି ୨ ବର୍ଷ ଭିତରେ ୬୫ ହଜାର ସରକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୧୭ ମାସ ଭିତରେ ଆଜିକୁ ମିଶାଇ ୧୨ ଟି ନିଯୁକ୍ତିମେଳା ଜରିଆରେ ରାଜ୍ୟ ସରକାର ୩୭,୩୨୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଦୁଇ ବର୍ଷ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ହାସଲ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ମାଧ୍ୟମରେ ଦେଢ଼ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣେଇଛନ୍ତି, ତେଣୁ ସେ ନବନିଯୁକ୍ତଙ୍କୁ ଦୁର୍ନୀତିକୁ ବିଷ ମନେକରି ତା’ଠୁ ଯେତେ ଅଧିକ ସମ୍ଭବ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । Post navigation BJD: ବିଜେଡି ଆଉ ବିଜୁଙ୍କ ଆଦର୍ଶରେ ନାହିଁ; ନୂଆ ଦଳ ଗଠନ କରିବା ପାଇଁ ଚିନ୍ତା କରିଛୁ: ଭୂପିନ୍ଦର ସିଂ