ରାଜ୍ୟର  ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ମିଳିଲା ଅନୁମୋଦନ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏବଂ ଭଦ୍ରକ ବାସୁଦେବପୁରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସ୍ଥାପନ କରାଯିବ । ଏହା ସହ ମୟୂରଭଞ୍ଜରେ ସର୍ବାଧିକ ୧୩ଟି କୋର୍ଟ ସ୍ଥାପନ ହେବାକୁ ଥିବା ବେଳେ ସୁନ୍ଦରଗଡ଼ରେ ୫ଟି କୋର୍ଟ ସ୍ଥାପନ କରାଯିବାକୁ ଥିବାବେଳେ ରାୟଗଡ଼ା, କେଉଁଝର ଓ ବଲାଙ୍ଗୀରରେ ୪ଟି ଲେଖାଏଁ ନୂତନ କୋର୍ଟ ପ୍ରତିଷ୍ଠା କରାଯିବ । ସେହିପରି ଗଜପତିରେ ୩ ଏବଂ ବରଗଡ଼, ଗଞ୍ଜାମ, କୋରାପୁଟ, ଯାଜପୁର, ପୁରୀ ଓ ସମ୍ବଲପୁରରେ ୨ଟି ଲେଖାଏ ସିଭିଲ୍ କୋର୍ଟ ସ୍ଥାପନ ହେବ ।

ସେହିପରି ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା ଏବଂ ନବରଙ୍ଗପୁରରେ ଗୋଟିଏ ଲେଖାଏଁ ନୂତନ କୋର୍ଟ ସ୍ଥାପନ କରାଯିବ ।

ଏହା ସହ ନୂତନ କୋର୍ଟ ସ୍ଥାପନ ଦ୍ୱାରା ସ୍ୱୀକୃତି ଏବଂ ଅଣ-ସ୍ୱୀକୃତି ପ୍ରାପ୍ତ ମୋଟ ୮୪୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସିଭିଲ୍ ଜର୍ଜ ପଦ ପାଇଁ ୫୬ଟି ନିଯୁକ୍ତି ବାହାରିବାକୁ ଥିବାବେଳେ ମୁଖ୍ୟ କିରାଣୀ, କିରାଣୀ, ,ଷ୍ଟେନୋଗ୍ରାଫର, ଜୁନିୟର ଟାଇପିଷ୍ଟ, କପିଷ୍ଟ, ହାଉସ୍ ଅର୍ଡଲୀ, ଝାଡ଼ୁଦାର ଏବଂ ୱାଚମ୍ୟାନ ପଦ ପାଇଁ ୫୬ଟି ଲେଖାଏଁ ପଦବୀ ସୃଷ୍ଟି ହେବ । ସେହିପରି କନିଷ୍ଠ କିରାଣୀ, ପ୍ରୋସେସ୍ ସର୍ଭର ଏବଂ ପିଅନ ପାଇଁ ୧୧୨ଟି ଲେଖାଏଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସୂଚନା ଯୋଗ୍ୟ; ୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୭୦୦ କୋର୍ଟ ରହିଛି । ଏଥିରେ ସିଭିଲ୍ ଓ କ୍ରିମିନାଲ କୋର୍ଟ ମଧ୍ୟ ସାମିଲ ରହିଛି । ଏହାସତ୍ତ୍ୱେ ରାଜ୍ୟରେ ୧୫ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଥିଲା । ଏଥିରେ ୧୨ ଲକ୍ଷରୁ ଅଧିକ କେବଳ ଆପରାଧିକ ମାମଲା ରହିଥିଲା । କେବଳ ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୮୯ ହଜାର ମାମଲା ବିଚାରଧୀନ ରହିଛି ।

Leave a Reply

Your email address will not be published. Required fields are marked *