୫ ମାସ ମଧ୍ୟରେ ଓଡିଶାରେ ମଲେଣି ୪୦ ହାତୀ । ରାଜ୍ୟରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ତଥ୍ୟ ରଖିଲେ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଜଙ୍ଗଲ, ପରିବେଶ ମନ୍ତ୍ରୀ କହିଛନ୍ତି ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଟି କଲରାପତରିଆ, ଆଉ ୨୦୦ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହେଇଛି । ଏହା ସହ ହାତୀ ମୃତ୍ୟୁ ପାଇଁ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ଏବଂ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ବାଘ ମାରିବା ପାଇଁ ୧୪ ଜଣଙ୍କୁ ଗିରଫ କରାଯାଇଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ବଢିଛି ହାତୀ ଉପଦ୍ରବ ।ହାତୀ ନେଇଛି ୬୬୮ ଜୀବନ । ହାତୀ ଆକ୍ରମଣରେ ଆହତ ହୋଇଛନ୍ତି ୫୦୯ ଜଣ । ସେହିପରି ୩ ବର୍ଷରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ୧୦ ହଜାର ୨୫୯ ଘର ଭାଙ୍ଗିଛନ୍ତି ହାତୀପଲ ।

ଏହା ସହ ହାତୀ ଓ ବାଘ ମୃତ୍ୟୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା ଓ ଶିକାରୀଙ୍କ ଗତିବିଧି ନୀରିକ୍ଷଣ ପାଇଁ ସ୍କ୍ୱାର୍ଡ ମୁତୟନ, ଜନସଚେତନତା ଇତ୍ୟାଦି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଆଜି ଶୀତକାଳୀନ ଅଧିବେଶନରେ ଗୃହରେ ବିଜେଡି   ବିଧାୟକ ତୁଷାର କାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Leave a Reply

Your email address will not be published. Required fields are marked *