Oplus_131072

ଦୁଇ କିଲୋମିଟର ରାସ୍ତାକୁ ପିଚୁ କରିବା ପାଇଁ କେତେ ଟଙ୍କା ଦରକାର ? ଭାବନ୍ତୁ ଏବଂ କହନ୍ତୁ । କିନ୍ତୁ ବିଜୁ ଜନତା ଦଳ ସରକାରରେ ରାସ୍ତାରୁ ଟଙ୍କା ଫଳୁଥିଲା । ସରକାରୀ ଦଳ ସହ ସମ୍ପର୍କ ରଖିଥ‌ିବା ଠିକାଦାରଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ପୋଷିବା ଏକ ନୀତି ଥିଲା । ଏହି କାରଣରୁ ଗୋଟିଏ ୨ କିଲୋମିଟର ରାସ୍ତା ଲାଗି ଗତ ସରକାର ମଞ୍ଜୁର କରିଥିଲେ ୪ କୋଟି ୬୫ଲକ୍ଷ ୯୭ହଜାର ୫୧୭ଟଙ୍କା । କିନ୍ତୁ ମାସ ତିନିଟାରେ ରାସ୍ତାରୁ ପିଚୁ ଫଡ଼ାଫଡ଼ା ହୋଇ ଉଠିଗଲା। ଏବାବଦରେ କିନ୍ତୁ ଭାଜପା ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ । ତାହା ହିଁ ବାଧିଛି ଗାଁ ଲୋକଙ୍କୁ । କିଛି ଲୋକ ଭୁବନେଶ୍ବର ଆସି ଧାରଣାରେ ବସିଲେ ମଧ୍ୟ କେହି ଶୁଣୁନାହାଁନ୍ତି। ସତେଯେମିତି ସେ ସରକାରଙ୍କ ଦୁର୍ନୀତି ଏ ସରକାରଙ୍କ ପାଇଁ ବି ଅନୁକରଣର ବିଷୟ !

କେନ୍ଦ୍ରାପଡ଼ା ଜିଲାର କରଞ୍ଜଠାରୁ ଗୋଖାପଡା ଭାୟା ଦହି ମାଛ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ନିମନ୍ତେ କେନ୍ଦ୍ରପଡ଼ା ଡିଭିଜନର ମହାକାଳପଡ଼ା ରାସ୍ତା ଏବଂ କୋଠା ବିଭାଗର ସବ୍‌ଡିଭିଜନ ଏକ ଖର୍ଚ୍ଚ ଅଟକଳ ଚୂଡାନ୍ତ କଲେ। ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ବ୍ୟୟ ଅଟକଳଟି ଥିଲା ୬କୋଟି ୬୭ଲକ୍ଷ ୭୭ହଜାର ଟଙ୍କା।

ଏହା ୨୦୨୩-୨୪ର କଥା । ନିର୍ବାଚନ ଆସି ବାକୁ ଅଛି । ୨୦୨୪ ଫେବୃଆରୀ ୧୯ତାରିଖରେ କାମ ଆରମ୍ଭ ପାଇଁ ଗୁଲନଗରର କ ଶ୍ରେଣୀ ଠିକାଦାର ପ୍ରଶାନ୍ତ କୁମାର ବେହେରାଙ୍କ ସପକ୍ଷରେ ଟେଣ୍ଡର ଚୂଡାନ୍ତ ହେଲା। ଟେଣ୍ଡର ରାଶିଟି ଥିଲା ୪କୋଟି ୬୫ଲକ୍ଷ ୯୭ହଜାର ୫୧୭ଟଙ୍କା । ଏହା ପୁଣି ସଂକ୍ରିଟ ରାସ୍ତା ନୁହେଁ । ୨ କିଲୋମିଟରର ପିଚୁ ରାସ୍ତା ପାଇଁ ୪କୋଟି ୬୬ଲକ୍ଷ ଟଙ୍କା କେଉଁ ଆଧାରରେ ଚୂଡ଼ାନ୍ତ କରାଗଲା ତାହା ବୁଝିବା ମୁସ୍କିଲ । ଅର୍ଥାତ ବିଜୁ ଜନତା ଦଳ ପାଇଁ ନିର୍ବାଚନ ଖର୍ଚ୍ଚ ସକାଶେ ଏଭଳି ଆକାଶ ଛୁଆଁ ରାଶି ମଞ୍ଜୁର କରାଯାଇଥିଲା। ଠିକାଦାର ବାବୁ କାମ ଆରମ୍ଭ କଲେ । ନିର୍ବାଚନ ଆଚରଣବିଧି ଲାଗୁ ହେଲା ବେଳକୁ ୨ କିଲୋମିଟର ରାସ୍ତା କାମ ଶେଷ। ଟଙ୍କା ବି ତୁରନ୍ତ ମଞ୍ଜୁର । କିନ୍ତୁ ଯେଉଁ ରାସ୍ତା କାମ ହେଲା ତାହା ଖୋଲା ଲୁଟ୍ ବୋଲି କହିଲେ ଭୁଲ ହେବ ନାହିଁ।

ଗାଁ ଲୋକେ ଦେଖିଲେ ଯେ, ତିନି ମାସ ଭିତରେ ନୂଆ ରାସ୍ତାରୁ ଫଡ଼ାଫଡ଼ା ହୋଇ ପିଚୁ ଉଠିଯାଉଛି । ଆପତ୍ତି କଲେ । ଏ ବିଷୟରେ ରାସ୍ତା ଓ କୋଠା ନିର୍ମାଣ ବିଭାଗର ସର୍ବୋଚ୍ଚଯନ୍ତ୍ରୀଙ୍କୁ ଜଣେଇଲେ। ତଳୁ ଉପର ଯାଏଁ ସମସ୍ତଙ୍କୁ ଲିଖିତ ଅଭିଯୋଗପତ୍ର ପଠାଇଲେ । ଶେଷରେ ବାଧ୍ୟ ହୋଇ ସେମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *