ରାଜ୍ୟରେ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ଗୃହରେ ବିଧାୟିକା ସୁବାସିନୀ ଜେନା ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ କେତେଗୋଟି ସ୍କୁଲ ରହିଛି | ସେଥିରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ? ସେଥିରେ ଅନୁମୋଦିତ ଶିକ୍ଷକଙ୍କ ସଂଖ୍ୟା କେତେ ? ଏକ ତଥ୍ୟ ଅନୁଯାୟୀ ପ୍ରାୟ ୮୦ ଭାଗ ସ୍କୁଲରେ ଅଧ୍ୟକ୍ଷ ପଦବୀ ଏବଂ ୪୦ ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡିଛି ଏହା କେତେ ଦୂର ସତ୍ୟ ଅଟେ । ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଚେଷ୍ଟିତ ଥିବା ବେଳେ କେବେ ସୁଦ୍ଧା ଏହି ଶିକ୍ଷକ ପଦବୀ ଗୁଡିକ ପୂରଣ ହେବ ତାହା ଜଣାଇବେ କି ; ଏଥି ସହିତ ବସ୍ତା ଓ ବାଲିଆପାଳ ବ୍ଲକରେ ଥିବା ଦୁଇଟି ଆଦର୍ଶ ବିଦ୍ୟାଳୟରେ ଅନୁମୋଦିତ ଶିକ୍ଷକଙ୍କ ସଂଖ୍ୟା କେତେ ଏବଂ ବର୍ତ୍ତମାନ ସେଠାରେ କେତେ ଜଣ ଶିକ୍ଷକ ଅଛନ୍ତି ଓ କେବେ ସୁଦ୍ଧା ଖାଲିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ତାହା ଜଣାଇବେ କି ? ଏହାର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାରେ ଏଯାବତ ମୋଟ ୩୧୫ ଗୋଟି (୩୧୪ଟି ବିଦ୍ୟାଳୟ ବ୍ଳକ ସ୍ତରରେ ଓ ଭୁବନେଶ୍ୱର ସ୍ୱତନ୍ତ୍ର ବିଦ୍ୟାଳୟ ଖୋଲାଯାଇଅଛି । ଏହି ବିଦ୍ୟାଳୟଗୁଡିକରେ ୧ ଲକ୍ଷ ୨୪ ହଜାର ୫୯ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଅନୁମୋଦିତ ଶିକ୍ଷକ ପଦବୀ ସଂଖ୍ୟା ୭,୦୩୬ ଥିବାବେଳେ ସେଥି ମଧ୍ୟରୁ ୪,୫୬୯ଟି ପଦବୀ ପୂରଣ ହୋଇଛି ଏବଂ ୨୪୬୭ ଖାଲି ରହିଛି । ୨୬୧ଟି ଅଧ୍ୟକ୍ଷ, ୧୮୫ ଉପାଧ୍ୟକ୍ଷ, ୮୮୩ଟି ପିଜିଟି, ୬୫୫ ଟିଜିଟି ଏବଂ ୪୮୩ଟି ଅନ୍ୟାନ୍ୟ ଶିକ୍ଷକ ପଦବୀ ଖାଲି ରହିଛି । ସମସ୍ତ ଉପାଧ୍ୟକ୍ଷ ପଦବୀ ଗୁଡିକରେ ନିଯୁକ୍ତି ପଦୋନ୍ନତି ଭିତ୍ତିକ ହୋଇଥିବା ବେଳେ ଟିଜିଟି ପଦବୀ ଗୁଡିକ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ହୋଇଥାଏ । ଅଧ୍ୟକ୍ଷ ଓ ପିଜିଟି ପଦବୀଗୁଡିକ ଉଭୟ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ପୂରଣ କରାଯାଏ । ଆବଶ୍ୟକତା ଅନୁଯାୟୀ ଖାଲିସ୍ଥାନ ଗୁଡିକ ପୂରଣ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ମନ୍ତ୍ରୀ କହିଛନ୍ତି । Post navigation Supplementary Budget: ବିଧାନସଭାରେ ୧୭,୪୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ Talcher Politics: ତାଳଚେରରେ ବିଜେପିର ଅପରେସନ ଲୋଟସ; ପଦ୍ମ ଧରିଲେ ପୌରାଧ୍ୟକ୍ଷ ଓ ୧୩ କାଉନସିଲର