ଆଉ କେଇଟା ଦିନ ପରେ ୨୦୨୪ ବିଦାୟ ନେବ। ଅନେକ ଘଟଣାର ମୂକସାକ୍ଷୀ ହୋଇ ରହିଯିବ ବର୍ଷ ୨୦୨୪ । ସମସ୍ତେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ନୂଆବର୍ଷକୁ । ତେବେ ୨୦୨୪ର ରୋମନ୍ଥନ ଜରୁରୀ । ସେ ଦୃଷ୍ଟିରୁ ଆଜିର ଅଧ୍ୟାୟରେ ଦୃଷ୍ଟି ପକାଇବା ଓଡ଼ିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ।

ତୃତୀୟ ଥର ସରକାର ଗଠନ କରିଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ମନ୍ତ୍ରିମଣ୍ଡଳରେ ବହୁଦିନ ପରେ ସ୍ଥାନ ମିଳିଛି ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମଙ୍କୁ । ତାଙ୍କୁ ସେହି ପୁରୁଣା ଆଦିବାସୀ କଲ୍ୟାଣ ବିଭାଗ ମିଳିଛି ଝାଡ଼ଖଣ୍ଡର ଅର୍ଜୁନ ମୁଣ୍ଡା ପରାଜିତ ହୋଇ ନଥିଲେ ଜୁଏଲଙ୍କୁ ଏ ସୌଭାଗ୍ୟ ମିଳିଥାନ୍ତା କି ନାହିଁ, ତାହା ମଧ୍ୟ ଏକ ବଡ଼ ବିତର୍କର ବିଷୟ। ହୁଏତ ବୈଜୟନ୍ତ କିମ୍ବା ଅପରାଜିତାଙ୍କ ଭିତରେ କାହାଙ୍କ ମୁଣ୍ଡରେ ମନ୍ତ୍ରୀ ଶିରୋପା ଲାଗିଥାନ୍ତା।

ମୋଦୀ@ ୧ରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ ତୃତୀୟ ମନ୍ତ୍ରୀମଣ୍ଡଳରେ ମଧ୍ଯ ଆସନ ବଜାୟ ରଖିଥିଲେ। ତେବେ ଓଡି଼ଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଥମ ସମ୍ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ରେଳବାଇ ବିଭାଗ ମିଳିଥିଲା । ମୋଦୀଙ୍କ ତୃତୀୟ ପାଳି ସରକାରରେ ଅଶ୍ୱିନୀ ରେଳବାଇ ସହ ଦକ୍ଷତା ବିକାଶ, ସୂଚନା ପ୍ରସାରଣ ଏବଂ ଟେଲି ଯୋଗାଯୋଗ ବିଭାଗର ମନ୍ତ୍ରୀ ହୋଇଥିଲେ।

ଯଦି ତିନି ମନ୍ତ୍ରୀଙ୍କ ପ୍ରଦର୍ଶନର ଅନାସକ୍ତ ବିଶ୍ଲେଷଣ କରାଯାଏ, ତେବେ ଏକ ବିଚିତ୍ର ଉପଲବ୍ଧି ଦେଖିବାକୁ ମିଳିବ । ନୂଆବର୍ଷରେ ୩ ମନ୍ତ୍ରୀଙ୍କ ଉଦ୍ୟମରେ ଓଡ଼ିଶା ବିକାଶ ପଥେ ଆଉ ପାଦେ ଆଗେଇଯିବ ବୋଲି ସମସ୍ତେ ଆଶା କରୁଛନ୍ତି । ତେବେ ନୂଆବର୍ଷରେ ମୋଦୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାକୁ ଆଉ ଏକ ମନ୍ତ୍ରୀ ପଦ ମିଳିବ ବୋଲି କଳ୍ପନାଜଳ୍ପନା ମଧ୍ୟ ପ୍ରକାଶ ପାଇଛି । ଗତ ୬ ମାସ ପ୍ରଦର୍ଶନକୁ ନେଇ ବିଚାର କଲେ ଅଶ୍ୱିନୀ ବୈଷ୍ଣବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଯଦି ମିଳେ, କେହି ଆଶ୍ଚର୍ଯ୍ୟ ହେବେ ନାହିଁ ।

Leave a Reply

Your email address will not be published. Required fields are marked *