ଖତ ଗଦାରେ ପୋତା ଯାଇଛି ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରେ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରୁ ଚୋରି ହୋଇଥିବା ଟଙ୍କା ବାଲେଶ୍ୱରରୁ ଉଦ୍ଧାର । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଏବେ ହାଇଦ୍ରାବାଦରୁ ବାଲେଶ୍ୱର ଯାଏଁ ଚହଳ ସୃଷ୍ଟି କରିଛି । ହାଇଦ୍ରାବାଦର ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରୁ ୨୧ ଲକ୍ଷ ଚୋରି ଘଟଣାରେ ଛାନଭିନ୍ କରିବା ବେଳେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରାଙ୍କ ଘରୁ ଏହି ଟଙ୍କା ମିଳିଛି । ଏହି ଘଟଣାରେ ମାଆ ଓ ପୁଅ ଅଟକରଖିକି ତଦନ୍ତ ଆରମ୍ଭ କରିଛି ପୁଲିସ। ଅନ୍ୟପଟେ ଅଭିଯୁକ୍ତ ଗୋପାଳ ବେହେରା ଫେରାର ରହିଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଉମାକାନ୍ତ ବେହେରାଙ୍କ ଜ୍ୱାଇଁ ଗୋପାଳ ବେହେରା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରେ ଦୀର୍ଘ ୧୦ ବର୍ଷ ଧରି କାମ କରିଆସୁଥିଲେ । ଗତ ତିନି ଦିନ ହେବ କମ୍ପାନୀ ଓ ବ୍ୟାଙ୍କ ଛୁଟି ଥିବାରୁ କମ୍ପାନୀର ଲକରରେ ଟଙ୍କା ରଖାଯାଇଥିଲେ । ଯାହା ବିଷୟରେ ଜାଣିଥିଲେ ଗୋପାଳ । ଗୋପାଳ ଏହାର ମଉକା ଦେଖି ୨୧ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ । ଏହା ପରେ ସେଠାରୁ ରହୁଥିବା ତାଙ୍କ ଶଳାକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଗୋପାଳଙ୍କ ଶଳା ରବିନ୍ଦ୍ର ଜଳେଶ୍ବର ଷ୍ଟେସନ ଆସି ବାପା ମାଙ୍କୁ ଟଙ୍କା ଦେଇ ପୁଣି ହାଇଦ୍ରାବାଦ ଫେରି ଯାଇଥିଲେ । ବାପା ଉମାକାନ୍ତ ବେହେରା ସେହି ଟଙ୍କାକୁ ଖତ ଗଦାରେ ପୋତି ରଖିଥିଲେ ।

ସେପଟେ ହ୍ରାଇଦ୍ରାବାଦ ପୁଲିସ ନିକଟରେ ଏ ନେଇ କମ୍ପାନୀ ତରଫରୁ ଅଭିଯୋଗ କରାଯାଇଥିଲା । ହ୍ରାଇଦ୍ରାବାଦ ପୁଲିସ ଘଟଣାରୁ ତଦନ୍ତ କରି ବାଲେଶ୍ୱରରେ ପହଁଚିଥିଲା । ହ୍ରାଇଦ୍ରାବାଦ ପୁଲିସ ଏବଂ କମର୍ଦ୍ଦା ପୁଲିସ ମିଳିତ ଭାବେ ବଡ଼ମନ୍ଦାରୁଣୀ ଗ୍ରାମରେ ଉମାକାନ୍ତଙ୍କ ଘରେ ଚଢ଼ାଉ କରିଥିଲେ । ଯାଞ୍ଚବେଳେ ବିଡ଼ା ବିଡ଼ା ଟଙ୍କା ଖତ ଗଦାରୁ ଜବତ କରାଯାଇଛି । ଜରି ବ୍ୟାଗ ଭିତରେ ଟଙ୍କାକୁ ଭର୍ତ୍ତି କରି ଉମାକାନ୍ତ ସେଠାରେ ଲୁଚାଇ ରଖିଥିଲେ । ତେବେ ସମସ୍ତ ପରିବାର ଲୋକଙ୍କୁ ଏ ନେଇ ଜେରା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *