ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ଘଟଣାରେ ୨ ଜଣିଆ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳର ସମସ୍ତ ସିସିଟିଭି ଜବତ କଲେ ତଦନ୍ତକାରୀ ଟିମ୍‌ । ଦଳଚକଟା କିପରି ହେଲା, ଉତ୍ତର ରେଲଓ୍ବେ ପକ୍ଷରୁ ବୟାନ ଜାରି ହୋଇଛି ।  ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ  ।

ଅନ୍ୟପଟେ ଏଲ୍‌ଏନ୍‌ଜେପି ହସ୍ପିଟାଲ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ଲୋକମାନେ ହେଲ୍ପଲାଇନ୍ ନମ୍ବର – ୯୮୭୩୬୧୭୦୨୮ ଏବଂ ୦୧୧୨୩୫୦୧୨୦୭ ରେ କଲ୍ କରି ଦୁର୍ଘଟଣାରେ ଆହତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ।

ସୂଚନା ଯୋଗ୍ୟ; ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରୟାଗରାଜ ଯିବାକୁ ଅପେକ୍ଷାରେ ଯାତ୍ରୀଙ୍କ ମଧ୍ୟରେ ଦଳଚକଟାରେ ୧୮ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ୧୪ ନମ୍ବର ପ୍ଲାଟଫର୍ମରେ ମଗଧ ଏକ୍ସପ୍ରେସ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ଜାମ୍ମୁ ଯାଉଥିବା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ ଛିଡ଼ା ହୋଇଥିଲା । ଏହି ସମୟରେ ପ୍ରୟାଗରାଜ ଯିବାକୁ ଥିବା ଟ୍ରେନ୍ ପ୍ରଥମେ ୧୨ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ପରେ ୧୬ ନମ୍ବର ପ୍ଲାଟଫର୍ମରେ ଆସିବା ନେଇ ଘୋଷଣା ହେବାରୁ ଯାତ୍ରୀମାନେ ଦୌଡ଼ାଦୌଡ଼ି କରିଥିଲେ । ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଏହି ଅଘଟଣରେ ୧୮ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଦିଲ୍ଲୀ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚାରିଟି ମୃତଦେହର ପୋଷ୍ଟମର୍ଟମ କରାଯାଇ ମୃତଦେହଗୁଡ଼ିକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *