୨୦୨୫ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଏହି ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିନରେ ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ ର ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଉଭୟ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହେବ।

ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ଥିବା ହେବା ଆମ ପାଇଁ ଗୌରବ ଓ ସମ୍ମାନର ବିଷୟ ହେବ। ସଂପୃକ୍ତ ସମସ୍ତ ବିଭାଗର ସମ୍ମିଳିତ ଉଦ୍ୟମରେ ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ସୂଚନଯୋଗ୍ୟ; ୧୯୧୫ ଜାନୁଆରି ୯ରେ ଦକ୍ଷିଣ ଆଫ୍ରିକାରୁ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଗମନକୁ ସ୍ମରଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶରେ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଅବଦାନ ପାଇଁ ଭାରତ ୨୦୦୩ରୁ ପ୍ରବାସୀ ଭାରତୀୟ ଦିବସ ପାଳନ କରିଆସୁଛି। ୨୦୨୩ ମସିହାରେ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଇନ୍ଦୋରରେ ଶେଷ ପ୍ରଭାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *