୪ ବର୍ଷରେ ନଦୀରେ ବୁଡ଼ି ଯାଇଛି ୧୭୫୦ ଜୀବନ । କଟକରେ ସର୍ବାଧିକ ୧୭୯ ମୃତ୍ୟୁ ହୋଇଥିବା ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଧାନସଭାରେ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ପ୍ରତିବର୍ଷ ନଦୀ ଏବଂ ସମୁଦ୍ରରେ ବୁଡ଼ି ଯାଉଛି ଶହ ଶହ ବ୍ୟକ୍ତିଙ୍କ ଜୀବନ । ବିଗତ ୪ ମଧ୍ୟରେ ରାଜ୍ୟରେ ୧୮୩୧ ଜଣଙ୍କ ମୃତ୍ୟୁ ନଦୀ ଏବଂ ସମୁଦ୍ରରେ ବୁଡ଼ିବା ଯୋଗୁଁ ହୋଇଛି । ସେଥି ମଧ୍ୟରେ ୧୭୫୦ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଥିବାବେଳେ ୮୨ ଜଣ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି ।

୨୦୨୨ ରୁ ୨୦୨୫ ପର‌୍ୟ୍ୟନ୍ତ ବର୍ଷରେ ୧୭୫୦ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସର୍ବାଧିକ କଟକରେ ନଦୀରେ ବୁଡ଼ି ବିଗତ ତିନି ବର୍ଷରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ାରେ ୧୧୦, ମୟୁରଭଞ୍ଜରେ ୧୫୪ ଜଣ, ସମ୍ବଲପୁରରେ ୧୦୭, କେନ୍ଦୁଝରରେ ୧୬୦ ଏବଂ ସୁନ୍ଦରଗଡ଼ରେ ୧୪୦ ଜଣଙ୍କର ନଦୀରେ ବୁଡ଼ିବା ଯୋଗୁଁ ମୃତ୍ୟୁ ହୋଇଛି । ପୁରୀରେ ୩୭, ଖୋର୍ଦ୍ଧାରେ ୪୮, ଜଗତସିଂହପୁରରେ ୬୮, ଯାଜପୁରରେ ୮୭, ଭଦ୍ରକରେ ୪୫, ନୟାଗଡ଼ରେ ୧୫, ବାଲେଶ୍ୱରରେ ୫୩, ବରଗଡ଼ରେ ୪୨, ବଲାଙ୍ଗିରରେ ୯, ଦେବଗଡ଼ରେ ୧୯, ଢେଙ୍କାନାଳରେ ୫୮, ଝାରସୁଗୁଡ଼ାରେ ୩୯, ଅନୁଗୁଳରେ ୨୪, ସୁବର୍ଣ୍ଣପୁର ୧୯, ବୌଦ୍ଧ ୯, ନୂଆପଡ଼ା ୨୧, ଗଞ୍ଜାମରେ ୬୮, ଗଜପତିରେ ୨୪, କଳାହାଣ୍ଡିରେ ୨୦, କନ୍ଧମାଳରେ ୨୦, କୋରାପୁଟରେ ୫୩, ନବରଙ୍ଗପୁରରେ ୩୧, ରାୟଗଡ଼ାରେ ୫୨, ଓ ମାଲକାନଗିରିରେ ୪୦ ଜଣଙ୍କର ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ସେହିପରି ୮୨ ଜଣ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି । ସମୁଦ୍ର ବୁଡ଼ି ପୁରୀରେ ୬୨, ଗଞ୍ଜାମରେ ୧୩, ଜଗତସିଂହପୁର ୬, ବାଲେଶ୍ୱରରେ ଜଣେ ଜଣଙ୍କ ପ୍ରାଣ ଯାଇଛି ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ନଦୀ ଓ ସମୁଦ୍ର ତଟବର୍ତ୍ତୀ ଗଭୀର ଜଳରେ ଓ ପହଁରା ନ ଜାଣି ନ ଗାଧୋଇବା ପାଇଁ ସଚେତନତା ସୃଷ୍ଟି କରାଯିବା ସହିତ ରାଜ୍ୟର ବିଭିନ୍ନ ନଦୀ ଓ ସମୁଦ୍ରରେ ବୁଡ଼ି ଲୋକଙ୍କର ଜୀବନହାନି ସଂଖ୍ୟାର ହ୍ରାସ ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ତରଫରୁ ରାଜ୍ୟର ସମସ୍ତ ଦମକଳ କେନ୍ଦ୍ରର ଅଧିକାରୀମାନଙ୍କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରିବା ତଥା ଜନ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *