ବିରାଟ ବିରାଟ ଭିତ୍ତିଭୂମି ଓ ଚକମକ ଆଡମ୍ବରରୁ ସୃଷ୍ଟି ହୁଅନ୍ତି ନାହିଁ ପ୍ରତିଭାମାନେ । ଆମର ବିରାଟ ବିରାଟ କ୍ରୀଡ଼ା ଭିତ୍ତିଭୂମି ଯଦି ଆମ ଘରର (ରାଜ୍ୟର) ଗୁଣାତ୍ମକ ଖେଳାଳି ସୃଷ୍ଟିରେ ସହାୟକ ନହେଲା, ତା’ ହେଲେ ଏସବୁର ମୂଲ୍ୟ କଣ ସରଳ ଏ ପ୍ରଶ୍ନ । ଆଜି ଓଡ଼ିଶାର ହକି ପ୍ରେମୀଙ୍କ ମନରେ ଏ ପ୍ରଶ୍ନ । ପ୍ରଚଣ୍ଡ କ୍ଷୋଭ ହୃଦୟରେ । ଏ ମାସ ୧୩ତାରିଖରୁ ରାଞ୍ଚିରେ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ ମହିଳା ହକି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା । ଭାରତୀୟ ଦଳରେ ଜଣେ ବି ଓଡ଼ିଶାର ଖେଳାଳି ନାହାନ୍ତି । କଷ୍ଟ ଲାଗିବା ସ୍ୱାଭାବିକ । ଭାରତୀୟ ହକିର ୨୦୩୩ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାର ପ୍ରାୟୋଜକ । ବଡ଼ ବଡ଼ ପ୍ରତିଯୋଗିତା ଆମର ଏଠାରେ ହେଉଛି । ଭୁବନେଶ୍ୱର ଓ ରାଉରକେଲାରେ ବଡ଼ ଭବ୍ୟ ଷ୍ଟାଡିୟମ । ହେଲେ ଆମ ପିଲା ନାହାନ୍ତି ଭାରତୀୟ ଦଳରେ । ଏହାହିଁ ବେଦନା ଦେଉଛି ଓଡ଼ିଶା ଲୋକଙ୍କୁ । ପ୍ରାୟୋଜକ ହେଲେ କି ଚକମକ କ୍ରୀଡ଼ା ଭିତ୍ତିଭୂମି କିମ୍ବା ବଡ଼ ବଡ଼ ପ୍ରତିଯୋଗିତା କଲେ ପିଲା ବାହାରନ୍ତି ନାହିଁ । ଖେଳାଳି ଭଲ ମାନର ବାହାରନ୍ତି ତାଲିମ ଓ ମ୍ୟାଚ ଖେଳ ପ୍ରଦାନର ବଢିଆ ଢାଞ୍ଚାରୁ । ଅଳ୍ପ କିଛି ବର୍ଷ ପର୍ଯ୍ୟନ୍ତ ବିଶେଷ ସୁବିଧା ସୁଯୋଗ କି ଆର୍ଥିକ ସହଯୋଗ ଖୁବ୍ ନଥିଲା । ସେତେବେଳେ ପିଲା ଆମର କିନ୍ତୁ ଚମକୁଥିଲେ । ଆଜି ପ୍ରଦର୍ଶନ ଖରାପ ନ୍ୟାସନାଲ୍ ଗୁଡିକରେ । ଏ ଲେଖକ ୧୯୮୫-୮୬ରୁ ଓଡ଼ିଶା ହକିକୁ ଦେଖୁଛି ପାଖରୁ । ବର୍ତ୍ତମାନର ସ୍ଥିତି ବାବଦ ବୁଝିଲା ବେଳକୁ ମୋର ତ ଏକ ପ୍ରକାର ହୋସ୍ ଉଡିଯାଇଛି । ଖେଳାଳିଙ୍କୁ ବଛା ବର୍ଷେ କି ଦୁଇ ବର୍ଷ ନୁହେଁ କେଇ ଦଶନ୍ଧି ଧରି ଭାରତୀୟ ଜୁନିୟର ଓ ସିନିୟର ଦଳ (ମହିଳା, ପୁରୁଷ)କୁ ବଢିଆ ସ୍କିଲଫୁଲ ଖେଳାଳି ଯୋଗାଇ ଆସୁଥିଲା ଓଡ଼ିଶା । ଏବେ କମି କମି ଶୂନର ସ୍ଥିତି । ହକି ଛାତ୍ରାବାସ ପାଇଁ ଖେଳାଳି ଚୟନ ତିନି ପର୍ଯ୍ୟାୟରେ ହେଉଥିଲା । ଗାଁ ଗାଁ ବୁଲୁଥିଲେ ପ୍ରଥମେ ହକି କୋଚମାନେ । ପ୍ରତିଭାମାନଙ୍କୁ ପ୍ରଥମେ ଗ୍ରାମ ସ୍ତରରୁ ପରେ ଜିଲା ସ୍ତରରେ ବଛାଯାଉଥିଲେ । ତା ପରେ ରାଜ୍ୟସ୍ତରରେ ୫ଦିନିଆ କ୍ୟାମ୍ପ କରି କଡ଼ା ପରୀକ୍ଷା ପରେ ବଛାଯାଉଥିଲେ ଖେଳାଳି । ଏବେ କୁଆଡ଼େ ଅନଲାଇନରେ ଖେଳାଳି ଚୟନ ପ୍ରକ୍ରିୟା ହୋଇଛି ବୋଲି ଜଣେ ପୁରୁଣା କୋଚ କହିଥିଲେ । ହକି ପ୍ରିୟ ଆଭ୍ୟନ୍ତର ଗାଁକୁ ଯାଇ ଖେଳାଳି ବାଛି, ପରିବାରକୁ ବୁଝାଇ ଭଲ ଟାଲେଣ୍ଟ ଆଣୁଥିଲୁ । ଏବେ ସେ ଧାରା ପ୍ରାୟ ବନ୍ଦ ବୋଲି ସେ ଦୁଃଖରେ କହି ଥିଲେ । ଚାରିବର୍ଷ ହେଲାଣି ଗାଁରୁ ଖେଳାଳି ଚିହ୍ନଟର ଆଦ୍ୟ ପ୍ରକ୍ରିୟା ହୋଇନାହିଁ କୁଆଡ଼େ । ଓଡ଼ିଆ କୋଚ ଏବେ ବଡ଼ ବଡ଼ ବିଶାରଦ କୁହାଯାଉଥିବା ବ୍ୟକ୍ତିମାନଙ୍କ ହାତରେ ଓଡ଼ିଶାର ଖେଳାଳିଙ୍କୁ ଶିଖାଇବାର ଦାୟିତ୍ୱ । କିଛି ଦିନର ତାଲିମ-ଲେଭଲ-୧ ଓ ୨ ସାର୍ଟିଫିକେଟକୁ ଗୁରୁତ୍ୱ ଏବେ ଦିଆଯାଇଛି । ଯେତେବେଳେ ଓଡ଼ିଶାରେ ଅଳ୍ପ କିଛି ସୁବିଧା ସୁଯୋଗ ଥିଲା ସେ ସମୟରେ ଓଡ଼ିଶାର କୋଚମାନେ ସିଲଭେଷ୍ଟର ଟୋପ୍ପୋ, ଅମୂଲ୍ୟ ନନ୍ଦ ବିହାରୀ, କାଳୁଚରଣ ଚୌଧୁରୀ, ବିଜୟ ଲାକ୍ରା, ଅମୂଲ୍ୟ ବେହେରା, ଫ୍ଲୋରେନସିଆ ଏକ୍କା ଏବଂ ତେଜ କୁମାର ଖେସ ପ୍ରଭୃତି ବଢିଆ ଖେଳାଳିମାନଙ୍କର ଲାଇନ୍ ଲଗାଇ ଦେଇଥିଲେ ଭାରତୀୟ ଦଳ ସକାଶେ । ଏଡ଼ଗାର, କାରିଅପ୍ପା ଏବଂ ଡେଭିଡ ଜନ୍ ଆଦିଙ୍କ ଉପସ୍ଥିତି ପରେ ଖେଳାଳି ସୃଷ୍ଟି ଦିଗରେ କଣ ଭଲ ହୋଇଛି । ତାହାର ବି ସମୀକ୍ଷା ହେବା ଉଚିତ୍ । ଆଜି ବି ବହୁ ଓଡ଼ିଆ କୋଚ (ଅବସର ପରେ ବି) ଆଗ୍ରହରେ ଅଛନ୍ତି ପୁଣି ଦାୟିତ୍ୱ ନେବାକୁ । ଦୁଇ ଜଣ ତ ସୋମବାର ଏହି ଲେଖକକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ନେହେରୁ କପକୁ ଯାଇନି ନେହରୁ କପ୍ରେ ଓଡ଼ିଶାର ଥିଲା ବହୁ ବର୍ଷରୁ ଦବଦବା । ୧୫ ଓ ୧୭ ବର୍ଷରୁ କମ୍ ନେହରୁ କପରେ ନିୟମିତ ଚମ୍ପିଆନ ହେଉଥିଲା ଓଡ଼ିଶା । ଦିଲୀପ ତିର୍କୀଙ୍କଠାରୁ ଦୀପଗ୍ରେସ ଆଦିଙ୍କ ପର୍ଯ୍ୟନ୍ତ ସବୁ ବଡ଼ ତାରକାଙ୍କ ଆଦ୍ୟ ପ୍ରବେଶ ଏହି ନେହରୁ ମାଧ୍ୟମରେ । ନେହରୁ କପକୁ ଏଥର ଯାଇନି ଓଡ଼ିଶା ଦଳ । ବର୍ତ୍ତମାନ ସଫଳତା ପାଇବାର ଏକମାତ୍ର ଇଚ୍ଛା ଯୋଗୁଁ ଓଡ଼ିଶା ଦଳରେ ସଂଖ୍ୟାଧିକ ଅଲିମ୍ପିଆନ୍ମାନଙ୍କୁ ଖେଳାଯାଉଛି ନ୍ୟାସନାଲରେ । ଏହାକୁ କିଛି ଆମ ପୁରୁଣା କୋଚ ଠିକ୍ ନୁହେଁ ବୋଲି କହିଥିଲେ । ସେମାନେ ଆଉ ଚୟନକର୍ତ୍ତାଙ୍କ ଦୃଷ୍ଟିରେ ନାହାନ୍ତି । ଭଲ କଲେ ବି ଆଉ ଡାକରା ପାଇବେନି । ଅନ୍ୟପଟେ ବର୍ଷସାରା ହଷ୍ଟେଲରେ ଅଭ୍ୟାସ କରୁଥିବା ଯୁବା ଖେଳାଳିଙ୍କ ସୁଯୋଗ ନପାଇଁ ମନ ଭାଙ୍ଗିଯାଉଛି । ଓଡ଼ିଶା ଦଳରେ ଆଜି ଅନ୍ୟ ରାଜ୍ୟର ଖେଳାଳି ବି ଖେଳିଲେଣି । ଓଡ଼ିଶାରେ କ’ଣ ହକି ପ୍ରତିଭାଙ୍କ ଅଭାବ ଅଛି? ହକି ଇଣ୍ଡିଆର ଆଭ୍ୟନ୍ତର ରାଜନୀତି ଆମ ଖେଳାଳିଙ୍କ ଚୟନରେ ବାଧକ ହେଉଛି କି? Post navigation ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ଐତିହାସିକ ଟେଷ୍ଟ ବିଜୟ