କେପଟାଉନ: ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କ ଜବରଦସ୍ତ ବୋଲିଂ। କେପଟାଉନରେ ଐତିହାସିକ ବିଜୟ ହାସଲ କଲା ଭାରତ। ଏଥିସହ ବିଜୟରୁ ଭାରତ ନୂଆ ବର୍ଷ ଆରମ୍ଭ କରିଛି। କୌଣସି ଏସୀୟ ଦେଶ ଦ୍ଵାରା କେପଟାଉନରେ ଏହା ପ୍ରଥମ ଟେଷ୍ଟ ବିଜୟ। ଏଠାରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌କୁ ସହଜରେ ୭ ଓ୍ଵିକେଟ୍‌ରେ ଜିତି ନେଇଛି ରୋହିତ ବାହିନୀ। ମାତ୍ର ଦେଢ ଦିନରେ ଦ୍ଵିତୀୟ ଟେଷ୍ଟ ଶେଷ ହୋଇଛି। ଚମକପ୍ରଦ ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର କରି ପାରିଛି।

ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଓ ଦ୍ଵିତୀୟ ଇନିଂସରେ ଯଶପ୍ରୀତ ବୁମରା ୬ଟି ଲେଖାଏଁ ଓ୍ଵିକେଟ୍ ନେଇ ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ଦ୍ଵିତୀୟ ଇନିଂସରେ ଘରୋଇ ଦକ୍ଷିଣ ଆଫ୍ରିକା ୧୭୬ ରନରେ ଅଲଆଉଟ୍ ହେବାରୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତକୁ ୭୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଯାହାକୁ ପିଛା କରି ଭାରତ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଯଶସ୍ଵୀ ଜୟସ୍ଵାଲ ୨୮ ରନ କରିଥିବା ବେଳେ ରୋହିତ ଶର୍ମା ୧୭ ରନ ଓ ବିରାଟ ଶ୍ରେୟସ ଆୟର ୪ ରନ କରି ଅପରାଜିତ ଥିଲେ। ଉଲ୍ଲେଖନୀୟ ପ୍ରଥମ ଟେଷ୍ଟରେ ଭାରତ ଇନିଂସ ଓ ୩୨ ରନରେ ହାରିଥିଲା।

ତେବେ ଦ୍ଵିତୀୟ ଇନିଂସରେ ଘରୋଇ ବ୍ୟାଟରଙ୍କ ପାଇଁ ଯଶପ୍ରୀତ ବୁମରା କାଳ ସାଜିଥିଲେ। ଆଡନ ମାରକ୍ରମଙ୍କ ବାଦ୍ ଦେଲେ ତାଙ୍କ ବୋଲିଂ ଆଗରେ ଘରୋଇ ଦଳର ଅନ୍ୟ ବ୍ୟାଟର ତିଷ୍ଠି ପାରି ନ ଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କିନ୍ତୁ ମାରକ୍ରମଙ୍କ ଶତକୀୟ ଇନିଂସ ଯୋଗୁଁ ଦଳ କିଛିଟା ସମ୍ମାନ ରଖିଥିଲା। ଅନ୍ୟପଟେ ଲୁଙ୍ଗି ଏନଗିଡିଙ୍କୁ ଆଉଟ୍ କରି ବୁମରା ଦକ୍ଷିଣ ଆଫ୍ରିକାର ଦ୍ଵିତୀୟ ଇନିଂସକୁ ୧୭୬ ରନରେ ଅନ୍ତ ଘଟାଇଥିଲେ। ଫଳରେ ଭାରତ ଆଗରେ ୭୯ ରନ ବିଜୟ ଲକ୍ଷ୍ୟ ରହିଥିଲା। ମାରକ୍ରମ ୧୦୩ ବଲରୁ ୧୭ ଚୌକା ଓ ୨ ଛକା ସହ ୧୦୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଦ୍ଵିତୀୟ ସର୍ବାଧିକ ସ୍କୋରର ଭାବେ ଡିନ ଏଲଗର ୧୨ ରନ କରିଥିଲେ। ସେହିପରି ବେଡିନଘମ ୧୧ ଓ ମାର୍କୋ ଜନସେନ ୧୧ ରନ କରିଥିଲେ। ବାକି ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *