ଜନତାଙ୍କ ସର ଓ ପ୍ରତିବାଦ ଆଗରେ ସୁପ୍ରିମକୋର୍ଟ ବି ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ ଯେଉଁ ସୁପ୍ରିମକୋର୍ଟ ନଭେମ୍ବରରେ ଆରାବଳୀ ପର୍ବତମାଳା ପାଦଦେଶରେ ଖଣି କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ, ସେହି ସୁପ୍ରିମକୋର୍ଟ ଜନ ସ୍ୱରକୁ ସମ୍ମାନ ଜଣାଇ ନିଜର ପୂର୍ବ ଆଦେଶକୁ ସ୍ଥଗିତ କରିଦେଲେ । ନିଜେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଖଣି କାର୍ଯ୍ୟ ଏବଂ ପରିବେଶ ସନ୍ତୁଳନ ଉପରେ ରିପୋର୍ଟ ଦେବାକୁ ।

ଯଦି ଜନତାଙ୍କ ଭାବନା ଏବଂ ସ୍ୱର ଆଗରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ବିବଶ ହେବାକୁ ପଡ଼ୁଛି, କିନ୍ତୁ ଓଡ଼ିଶାରେ ଏଭଳି ଜନ ପ୍ରତିକ୍ରିୟା କାହିଁକି ସୃଷ୍ଟି ହେଇ ନାହିଁ ? ସିଜିମାଳି ପର୍ବତ ଉପରେ ବେଦାନ୍ତର ନଜର ପଡ଼ିଛି । ସ୍ଥାନୀୟ ଆଦିବାସୀ ଓ ଅଧିବାସୀ ଖଣି କାମକୁ ବିରୋଧ କରୁଛନ୍ତି । କିନ୍ତୁ ପ୍ରଶାସନ ବେଦାନ୍ତ ପାଇଁ ଅନୁଗୃହୀତ ହୋଇ ଆଦିବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି କରିଦେଇଛି ।

ଡରାଉଛି, ଧମକାଉଛି । କିନ୍ତୁ ଏହାବାବଦରେ ସାରା ଓଡ଼ିଶାରେ ଜନ ପ୍ରତିକ୍ରିୟା ସୃଷ୍ଟି ହୋଇପାରୁ ନାହିଁ କାହିଁକି ? ଆରାବଳୀ ଖୋଲିପାରିବ କି ଓଡ଼ିଶା ଜନତାଙ୍କ ଆଖି ?

ରାୟଗଡ଼ା ଏବଂ କଳାହାଣ୍ଡିରେ ରହିଛି ସିଜିମାଳି ପାହାଡ଼ । ଏହି ପାହାଡରେ ବକ୍ସାଇଟ ପ୍ରଚୁର ପରିମାଣରେ ମହଜୁଦ ଅଛି । ଆରାବଳୀ ପରି ଏହି ଉଚ୍ଚ ପାହାଡ଼ମାଳା ନୁହେଁ । କିନ୍ତୁ ସିଜିମାଳିରେ ଆଦିବାସୀମାନେ କାହିଁ କେତେ କାଳରୁ ରହିଆସୁଛନ୍ତି । ସିଜିମାଳି ସେମାନଙ୍କର ଜୀବନ ଓ ଜୀବିକା । ଏହାକୁ ଆଦିବାସୀମାନେ କହନ୍ତି ତିଜିମାଳି । ଆଦିବାସୀ ଏବଂ ଦଳିତ ବର୍ଗର ବାସିନ୍ଦାଙ୍କ ପାଇଁ ଏହାର ଏକ ସ୍ବତନ୍ତ୍ର ପବିତ୍ରତା ଅଛି। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ଆକର୍ଷଣୀୟ। କିନ୍ତୁ ରାଜ୍ୟରେ ନବୀନ ସରକାର ଥିବାବେଳେ ୨୦୨୩ରେ ସିଜିମାଳରେ  ବକ୍ସାଇଟ ଉତ୍ତୋଳନ ନିମନ୍ତେ ବେଦାନ୍ତକୁ ଅନୁମତି ଦେଲେ । ବେଦାନ୍ତ କମ୍ପାନୀ ସହ ନବୀନ ବାବୁଙ୍କର ପ୍ରୀତି ଓ ପ୍ରେମ ରାଜ୍ୟବାସୀଙ୍କୁ ଅଛପା ନୁହେଁ ।

ସିଜିମାଳିରେ ପ୍ରାୟ ୫୦ ହଜାର ଲୋକ ବସବାସ କରନ୍ତି । ସେମାନଙ୍କ ଭିତରେ ଅଧିକାଂଶ କୁଇ ଆଦିବାସୀ ଓ ଦଳିତ । ସେମାନଙ୍କର ସଂସ୍କୃତି ଏବଂ ଜୀବିକା ସିଜିମାଳି ଜଙ୍ଗଲ ଦ୍ବାରା ପ୍ରଭାବିତ । ନିୟମଗିରିରେ ଯେଭଳି ନିୟମ ରଜାଙ୍କୁ ପୂଜା କରନ୍ତି ଡଙ୍ଗରିଆ କନ୍ଧ, ଠିକ୍ ସେମିତି ସିଜିମାଳିରେ ତିଜ୍ ରଜାଙ୍କୁ ପୂଜା କରନ୍ତି କୁଇ ଆଦିବାସୀ । ନବୀନ ସରକାର ଏଭଳି ଏକ ପାହାଡ଼କୁ ଖଣି କାମ ପାଇଁ ବେଦାନ୍ତକୁ ୫୦ ବର୍ଷିଆ ଲିଜ୍‌ରେ ଟେକି ଦେଇଛନ୍ତି । କିନ୍ତୁ ଏହା ଦ୍ବାରା ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନର ସମ୍ପୂର୍ଣ ଉଲଂଘନ କରାଯାଇଛି । ସଂଖ୍ୟାଗରିଷ୍ଠତା କାରଣରୁ ନବୀନ ସରକାର ଚାରିଆଡ଼େ ମନମାନୀ କରିଥିଲେ । ନବୀନ ସରକାର ବସ୍ତୁତଃ ଆଦିବାସୀ ବିରୋଧୀ ଥିଲେ । କିନ୍ତୁ ସେହି ଧାରାରେ କାହିଁକି ଚାଲିବେ ମୋହନ ସରକାର ?

ପ୍ରାୟ ୧୨୫ରୁ ଅଧିକ ଆଡ୍‌ଭୋକେଟ ରାଜ୍ୟପାଳଙ୍କୁ ଏକ ପତ୍ର ଲେଖ୍ ସିଜିମାଳିରେ ବେଦାନ୍ତକୁ ବିରୋଧ କରୁଥିବା ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ଯେଭଳି ପ୍ରଶାସନ ବେଦାନ୍ତ ଏଜେଣ୍ଟ ଭାବେ ଆଦିବାସୀଙ୍କୁ ଗିରଫ କରୁଛନ୍ତି, ତାହାକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି  ।

ଆରାବଳୀ ରାୟ ଏକ ନୂଆ ଆଶା ସଂଚାର କରିଛି ସିଜିମାଳି ଅଧିବାସୀଙ୍କ ମନରେ । ନବୀନ ସରକାର ଭୁଲ ନଦୋହରାନ୍ତୁ ମୋହନ ସରକାର । ମିଛ ପଲ୍ଲୀସଭାକୁ ପ୍ରୋତ୍ସାହିତ ନକରନ୍ତୁ। ଆଦି ଆଦିବାସୀ ପାଇଁ କେବଳ ନୁହେଁ, ପ୍ରକୃତିର ନିବେଦନକୁ ଶୁଣ ମୋହନ ସରକାର ।

Leave a Reply

Your email address will not be published. Required fields are marked *