ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର ଗାଦିଚ୍ୟୁତ ହୋଇଛି। ମୋହନ ଚରଣ ମାଝୀ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହୋଇଛନ୍ତି।

ଗତ ସାଧାରଣ ନିର୍ବାଚନ ଦୃଷ୍ଟିରୁ ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯାଇଥିଲା। ଆସନ୍ତା ଡିସେମ୍ବର ସୁଦ୍ଧା ନୂଆ ଅଧ୍ୟକ୍ଷ ମନୋନୀତ ହେବେ ଭାଜପାରେ। ନଡ୍ଡାଙ୍କ କାର୍ଯ୍ୟକାଳ ଭିତରେ ଦଳକୁ ମିଶ୍ରିତ ଫଳ ମିଳିଛି। ନୂଆ ରାଜ୍ୟ ଭାବେ ଭାଜପା ମାନଚିତ୍ରରେ ଯୋଡି ହୋଇଛି ଓଡିଶା। ତୃତୀୟ ଥର ପାଇଁ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହୋଇଛି। କିନ୍ତୁ ଅଗଲିବାର ୩୭୦ ପାର ନାରା ସଫଳ ହୋଇନାହିଁ ମୋଦିଙ୍କର।

ଇତିମଧ୍ୟରେ ନଡ୍ଡାଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଦେଇଛନ୍ତି ଭାଜପା ଏବଂ ସଂଘ। ଗତ ଅଗଷ୍ଟ ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଯେଉଁ ବୈଠକ ବସିଥିଲା, ସେଥିରେ ଅମିତ ଶାହା ଏବଂ ଭାଜପା ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଓ ସଂଘ ତରଫରୁ ସହ କାର୍ଯ୍ୟବାହ ଦତ୍ତାଟିରେ ହୋଷାବଲେ ଏବଂ ଅରୁଣ କୁମାର ଯୋଗ ଦେଇଥିଲେ। ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ ସମ୍ପର୍କରେ ସେମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିଲା।

ଇତିମଧ୍ୟରେ ସାଙ୍ଗଠନିକ ନିର୍ବାଚନକୁ ଆଖିଆଗରେ ରଖି ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି ଭାଜପାରେ।ନୂଆ ସଦସ୍ୟ ସଂଗ୍ରହ ଅଭିଯାନ ସେପ୍ଟେମ୍ବର ୧୫ରେ ଶେଷ ହୋଇଛି। ଏବେ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଏହାପରେ ଅକ୍ଟୋବର ୧୫ ସୁଦ୍ଧା ସଦସ୍ୟତା ଯାଞ୍ଚ ପ୍ରକ୍ରିୟା ସରିବ। ଏହା ପରେ ପରେ ଆରମ୍ଭ ହେବ ମଣ୍ଡଳ ନିର୍ବାଚନ। ମଣ୍ଡଳରୁ ଜିଲା, ରାଜ୍ୟ ଏବଂ ପରିଶେଷରେ ଦେଶ। ଯଦି ୫୦% ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ସରେ ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯିବ।

ଏବେ ପ୍ରଶ୍ନ ହେଉଛି ଯେ କିଏ ହେବେ ନଡ୍ଡାଙ୍କ ଉତ୍ତରାଧିକାରୀ ? ତେବେ ଯେଉଁ ଦୁଇଜଣଙ୍କ ନାମ ଆଲୋଚନା ପରିସରରେ ଅଛି, ସେମାନେ ହେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ଭାଜପା ମହାମନ୍ତ୍ରୀ ସଞ୍ଜୟ ଯୋଶୀ। ତେବେ ସଞ୍ଜୟଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପର୍କ ଅତ୍ୟନ୍ତ ତିକ୍ତ। କିନ୍ତୁ ସଂଘ ପରିବାରର କିଛି ପ୍ରଭାବଶାଳୀ ନେତା ସଞ୍ଜୟଙ୍କୁ ସଭାପତି କରିବାକୁ ଉଦ୍ୟମ କରିଛନ୍ତି। ଏହାପଛରେ ନିତିନ ଗାଡ଼କରୀଙ୍କ ମଧ୍ୟ ସମର୍ଥନ ଅଛି। ତେବେ ସାଙ୍ଗଠନିକ ଦକ୍ଷତା କାରଣରୁ ଧର୍ମେନ୍ଦ୍ରଙ୍କ ସମ୍ଭାବନା ଉଜ୍ବଳ। ଛାତ୍ର, ଯୁବ ରାଜନୀତିରୁ ଆରମ୍ଭ କରି ସେ ଦଳର ସାଧାରଣ ସମ୍ପାଦକ ରହିସାରିଛନ୍ତି। ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ବାଜପେୟୀ ସରକାରଙ୍କ ଅମଳରେ ସେ ଦେବଗଡ଼ ସାଂସଦ ମଧ୍ୟ ହୋଇଛନ୍ତି। ଏବେ ସମ୍ବଲପୁର ଲୋକସଭା ଆସନର ସଦସ୍ୟ। ବିଭିନ୍ନ ରାଜ୍ୟରେ ପ୍ରଭାରୀ ଦାୟିତ୍ୱ ତୁଲାଇ ସାରିଛନ୍ତି । ତା’ ଛଡା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ସମର୍ଥନ ତାଙ୍କ ପଛରେ ଅଛି।

ନୂଆ ସଭାପତି ହେବା ପୂର୍ବରୁ ଭାଜପା ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ଆସୁଛି। ଏବେ ଜାମ୍ମୁ-କାଶ୍ମୀର ନିର୍ବାଚନ ଚାଲିଛି। ଆଗକୁ ଅଛି ହରିଆଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ। ଏହି ୩ ରାଜ୍ୟ ଭିତରୁ ହରିଆଣା ଏବଂ ମହାରାଷ୍ଟ୍ରରେ ଏନଡିଏ ସରକାର ଏବଂ ଝାଡ଼ଖଣ୍ଡରେ ଇଣ୍ଡି ସରକାର ଅଛି। ଯଦି ଭାଜପା ଏହି ୩ ରାଜ୍ୟରେ ସଫଳ ହୁଏ ତେବେ ମୋଦୀ ସରକାରଙ୍କ ପାଇଁ ଏକ ଆଶ୍ବସ୍ତିର କାରଣ ହେବ। କିନ୍ତୁ ଯଦି ବିପରୀତ ଫଳ ହୁଏ, ତେବେ ଯିଏ ବି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୁଅନ୍ତୁ ନା କାହିଁକି ତାଙ୍କ ପାଇଁ କଠିନତମ ସମସ୍ୟା ଦେଖାଦେବ। ଏଣୁ ନଡ୍ଡାଙ୍କ ଉତ୍ତରାଧିକାରୀ ପାଇଁ ଆଶା ଅପେକ୍ଷା ଆଶଙ୍କା ଅଧିକ।

ସବୁପ୍ରକାର ସାଙ୍ଗଠନିକ ଦକ୍ଷତା ସତ୍ତ୍ୱେ ଧର୍ମେନ୍ଦ୍ରଙ୍କ ପାଇଁ ମାଇନସ ପଏଣ୍ଟ ହେଲା, ସେ ସମସ୍ତଙ୍କୁ ସାଙ୍ଗରେ ଧରି କାର୍ଯ୍ୟ କରିପାରନ୍ତି ନାହିଁ। ଗୋଷ୍ଠୀଭୁକ୍ତ ହୋଇ କାର୍ଯ୍ୟ କରିବା ତାଙ୍କର ଅଧିକ ପସନ୍ଦ। ତେବେ ନଭେମ୍ବର ବେଳକୁ ଅଧ୍ୟକ୍ଷ ପଦ ଚିତ୍ର ଅଧିକ ସ୍ପଷ୍ଟ ହୋଇଯିବ, ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *