ଡବଲ ଅଲିମ୍ପିକ୍ ମେଡ଼ାଲ ବିଜୟିନୀ ମନୁ ଭାକରଙ୍କ କୋଚ ତଥା ଦେଶର ଅନ୍ୟତମ ସଫଳ ସୁଟର ଯଶପାଲ ରାଣା ମଙ୍ଗଳବାର ଦିନ ଖେଳରତ୍ନ ପୁରସ୍କାରରୁ ମନୁ ବାଦ ପଡିବାକୁ ନେଇ କେନ୍ଦ୍ର କ୍ରୀଡ଼ା ବିଭାଗ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଜାତୀୟ ରାଇଫଲ ସଂଘକୁ ଏଥି ଲାଗି ଦାୟୀ କରିଛନ୍ତି ।

ରାଣା ପ୍ରଚଣ୍ଡ ବିରକ୍ତ ପ୍ରକାଶ କରି କହିଛନ୍ତି ଯେ ଏତେ ସଫଳତା ପରେ ମଧ୍ୟ ଯଦି ସର୍ବୋଚ୍ଚ ପୁରସ୍କାର ତାଙ୍କୁ ମିଳିବ ନାହିଁ ତା ହେଲେ ଏହି ପୁରସ୍କାରର ଲାଭ କ’ଣ ? ସାଧୀନ ଭାରତର ପ୍ରଥମ ଖେଳାଳି ଭାବରେ ଗତ ଅଗଷ୍ଟ ମାସରେ ପ୍ୟାରିସ ଅଲିମ୍ପିକ୍ସରେ ମନୁ ଡବଲ ମେଡ଼ାଲ ଜିତିଥିଲେ । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ବର୍ଗର ବ୍ରୋଞ୍ଜ ଜିତିବା ପରେ ସେହି ଇଭେଣ୍ଟରେ ମିକ୍ସ ଟିମ୍ ଇଭେଣ୍ଟରେ ମଧ୍ଯ ପାଇଥିଲେ ବ୍ରୋଞ୍ଜ ପଦକ । ରାଣା ମଙ୍ଗଳବାର କହିଛନ୍ତି ଏଥିରେ ସମସ୍ତେ ଦାୟୀ। କିପରି ଜଣେ କ‌ହିପାରିବ ଯେ ମନୁ ଆବେଦନ କରିନଥିଲେ ବୋଲି। ସେ ଇତିହାସ ରଚନା କରିଛନ୍ତି ଆଉ ଇତିହାସ ରଚନା କରିଥିବା ଖେଳାଳିମାନେ ପୁରସ୍କାର ପାଇଁ କାହିଁ କି ଆବେଦନ କରିବେ ? ଏକ ଅତ୍ୟନ୍ତ ଖରାପ ପରମ୍ପରା ସ୍ଥାପନ କରାଗଲା ଏହା ନିଶ୍ଚିତ ଭାବରେ ଖେଳାଳିମାନଙ୍କ ମନୋବଳକୁ ଭାଙ୍ଗି ଦେବ।

ତେବେ ଆଉ ଏକ ରିପୋର୍ଟ ଅନୁସାରେ ଜଣାପଡିଛି ଯେ, ମନୁ ଆବେଦନ କରିନଥିବା କୁହାଯାଉଥିଲାବେଳେ ତାଙ୍କ ପରିବାର କିନ୍ତୁ କହୁଛି ଯେ ଆବେଦନ କରାଯାଇଛି ବୋଲି। ଏହା ଉପରେ ଯଶପାଲ କହିଛନ୍ତି ଆବେଦନ କେହି କରୁ ବା ନକରୁ ହେଲେ ମନୁଙ୍କ ନାମ କମିଟି ବାଦ ଦେବ କିପରି ? କମିଟିର କାମ ତ ଶ୍ରେଷ୍ଠ ଖେଳାଳିଙ୍କୁ ମୂଲ୍ୟାଙ୍କନ କରି ପୁରସ୍କାର ପାଇଁ ସୁପାରିଶ କରିବା। ଗତ ବର୍ଷକ ମଧ୍ୟର ସମସ୍ତ ସଫଳତାର ତଥ୍ୟ କେନ୍ଦ୍ର କ୍ରୀଡ଼ା ବିଭାଗ ପାଖରେ ରହିଛି। ସେମାନେ କାହିଁକି ସେ ତଥ୍ୟ କମିଟି ଆଗରେ ଦେଲେ ନାହିଁ ବୋଲି ରାଣା ପ୍ରଶ୍ନ କରିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡ଼ା ଇତିହାସରେ ସଶ୍ଚିମ ଅଧ୍ୟାୟ ଯୋଡ଼ିଥିବା ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ତାଲିକାରେ ନଥିବା ଦେଖ୍ ସାରା ଦେଶରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେ ଆବେଦନ କରିନଥୁଲେ ମଧ୍ଯ ନିୟମ ଦୃଷ୍ଟିରୁ ଚୟନ କମିଟି ନହେଲେ ସରକାର ମଧ୍ୟ ତାଙ୍କ ନାମ ବିଚାର ପାଇଁ ଆଣିପାରିଥାନ୍ତେ । ଏପରିକି ଜାତୀୟ ରାଇଫଲ ସଂଘ ମଧ୍ୟ ମନୁଙ୍କ ନାମ ପଠାଇନାହିଁ । ଏଭଳି ବଡ଼ ବିବାଦ ମଧ୍ୟରେ ମଙ୍ଗଳବାର ମନୁ ମୁହଁ ଖୋଲି ତାଙ୍କ ଆଡୁ ତ୍ରୁଟି ରହି ଯାଇଛି ବୋଲି କହିଛନ୍ତି। ହରମନପ୍ରୀତ ଏବଂ ପ୍ରଭୀନଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମେଳର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି। ହେଲେ ଇତିହାସ ରଚିଥିବା ମନୁଙ୍କ ନାମ କିପରି ବାଦ ପଡ଼ିଲା ତାହାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି । ମଙ୍ଗଳବାର କ୍ରୀଡ଼ା ବିଭାଗ ନିଜକୁ ବଞ୍ଚାଇବାକୁ ଯାଇ ସ୍ପଷ୍ଟୀକରଣ ଦେଇଛି ଯେ ଏଯାଏଁ ତାଲିକା ଫାଇନାଲ ହୋଇନାହିଁ । ମନୁଙ୍କ ନାମ ଏବେ ବି ତାଲିକାଭୁକ୍ତ ହୋଇପାରେ। ଅନ୍ୟପଟେ ମନୁ କହିଛନ୍ତି ଖେଳରତ୍ନ ସକାଶେ ମୋ ନାମ ମନୋନୟନକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଉପରେ ମୋର ଉତ୍ତର ହେଲା ଆମେ ବୋଧେ ଆବେଦନ ପାଇଁ ପ୍ରୟାସ ନକରିବା ଭୁଲ୍ ହୋଇଛି ।

Leave a Reply

Your email address will not be published. Required fields are marked *