କଟକ ସର୍କଲର ଡିଡିଏମ୍ ବା ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ ହୋଇସାରିଛନ୍ତି । ତାଙ୍କ ଘରୁ ୪ କୋଟି ୨୭ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ତାଙ୍କୁ ନେଇ ଦେଶ ସାରା ଚର୍ଚ୍ଚା। ଧରା ପଡ଼ିଗଲେ ବୋଲି ଭିଲିଆନ୍। ଧରାପଡ଼ି ପଡ଼ି ନଥିଲେ ସଚ୍ଚା, ସଛୋଟ ସରକାରୀ ଅଧିକାରୀ ! କିନ୍ତୁ ଯାଜପୁର ସର୍କଲ ଡିଡିଏମ୍‌ଙ୍କୁ ମୋହନ ସରକାରଙ୍କ ଖଣି ବିଭାଗ ଘଣ୍ଟ ଘୋଡ଼ାଇ ରଖୁଛି କାହିଁକି ? ଜଣେ ଡିଡିଏମଙ୍କ ପାଇଁ ଜଗତସିଂହପୁର ଜିଲାପାଳଙ୍କୁ କାହିଁକି ଅପଦସ୍ତ କଲା ଖଣି ବିଭାଗ ?

ଗତ ଡିସେମ୍ବର ୧୬ ତାରିଖରେ ଜଗତସିଂହପୁର ଜିଲାପାଳ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଥିଲେ । ଚିଠିର ନମ୍ବର ଥିଲା -୨୩୪୦୯ । ବିଷୟବସ୍ତୁ ଥିଲା- ଯାଜପୁର ସର୍କଲ ଡିଡିଏମ୍ ଜୟ ପ୍ରକାଶ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।

ଜିଲ୍ଲାପାଳ ଯେଉଁ ପତ୍ର ଲେଖିଥିଲେ ସେଥିରେ ଉଲ୍ଲେଖ ଥିଲା ଯେ ଜଗତସିଂହପୁର ଜିଲ୍ଲାଟି ଯାଜପୁର ଖଣି ସର୍କଲ ଭିତରେ ଆସୁଛି। ନଭେମ୍ବର ୨୫ ତାରିଖରେ ତିର୍ତ୍ତୋଲ ତହସିଲର କିଲିପାଳ ବାଲିଘାଟ ଉପରେ ଜିଲା ପ୍ରଶାସନ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ୱରେ ଏକ ବଡ଼ଧରଣର ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଲି ବୋଝେଇ ୪୬ଟି ହାଇଓ୍ବା ଗାଡ଼ି, ୩ଟି ବାଲିଖୋଳା ଯନ୍ତ୍ର ଜବତ କରାଯାଇଥିଲା। ଡିସେମ୍ବର ୧୧ ତାରିଖରେ ଜଗତସିଂହପୁର ସବ୍‌ କଲେକ୍ଟର ଜୟୀପୁର ବାଲିଘାଟରେ ଚଢ଼ାଉ କରି ୨୨ଟି ହାଇୱା ଏବଂ ଦୁଇଟି ଏକ୍ସକେଭେଟର ଜବତ କରିଥିଲେ। ବାଲି ଖୋଳାରେ ବ୍ୟାପକ ଅନିୟମିତତା ହୋଇଥିବା ଧରାପଡ଼ିଥିଲା।

ଜିଲ୍ଲାପାଳ ଲେଖିଛନ୍ତି ଯେ ଯାଜପୁର ସର୍କଲର ଡିଡିଏମ୍ ଙ୍କୁ ଏକାଧିକ ଥର ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ସେ ବାଲିଘାଟ ତଦାରଖ ପାଇଁ ଆସି ନଥିଲେ। ସରକାରୀ କାର୍ଯ୍ୟରେ ଅବହେଳା କରିଥିଲେ। ଏହାଯୋଗୁଁ ହିଁ ବ୍ୟାପକ ବାଲି ଚୋରା ଚାଲାଣ ଜାରି ରହିଥିଲା। ସରକାରଙ୍କୁ ମଧ୍ଯ ଅନେକ ରାଜସ୍ଵ ହାନୀ ଘଟିଲା । ବେଆଇନ ବାଲି ଚୋରା ଚାଲାଣ ଏବଂ ଉତ୍ତୋଳନ ରୋକି ବାରେ ଡିଡିଏମ୍ ବି ଫଳ ହୋଇଥିଲେ। ଏଥି ପାଇଁ ତାଙ୍କୁ କାରଣଦର୍ଶାଅ ନୋଟିସ ନଭେମ୍ବର ୨୮ ତାରିଖରେ ଜାରି କରାଯାଇଥିଲା। ଏହି କାରଣରୁ ଜୟପ୍ରକାଶ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବାକୁ ଜଗତସିଂହପୁର ଜିଲାପାଳ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପତ୍ରରେ ଅନୁରୋଧ କରିଥିଲେ।

ଦୁଇ ମାସ ବିତି ୩ ମାସ ହେବାକୁ ବସିଛି। କିନ୍ତୁ ଯାଜପୁର ଡିଡିଏମ୍ ଜୟପ୍ରକାଶ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କାହିଁକି ? କାହିଁକି ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି ? ବିଧାୟକଙ୍କ ଦୃଢ଼ ସମର୍ଥନ ତାଙ୍କ ପଛରେ ଅଛି ବୋଲି କି ? ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ଅଛନ୍ତି କି ? ଭିଜିଲାନ୍ସ ଏହି ବିବାଦୀୟ ଡିଡିଏମ୍‌ ଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରି ନାହିଁ କାହିଁକି ?

ଯାଜପୁର ଜିଲ୍ଲାପାଳ ଗତବର୍ଷ ଏପ୍ରିଲ ମାସରେ ଡିଡିଏମ୍ ଜୟପ୍ରକାଶଙ୍କୁ ପତ୍ର ଲେଖି ତୁରନ୍ତ ଡଙ୍କାରୀରେ ଚାଲିଥିବା ଖଣି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳରେ ପେଟ୍ରୋଲିୟମ ସଂରକ୍ଷଣ ବ୍ୟବସ୍ଥା ହେବାକୁ ଥିବାରୁ ତୁରନ୍ତ ସବୁପ୍ରକାର ଖଣି କାର୍ଯ୍ୟ ବନ୍ଦ ହେବା ଉଚିତ ।

ଆଶ୍ଚର୍ଯ୍ୟର କଥା ଗତ ନଭେମ୍ବର ମାସରେ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭସ୍ ଲିଂ ବା ଆଇଏସ୍‌ପିଆର ପକ୍ଷରୁ ଜିଲାପାଳଙ୍କୁ ତୁରନ୍ତ ଚଣ୍ଡୀଖୋଲ ପ୍ରକଳ୍ପ ଅଞ୍ଚଳରେ ଖଣି ଉତ୍ତୋଳନ କାର୍ଯ୍ୟ ବନ୍ଦ କରିବା ପାଇଁ ପତ୍ର ଲେଖାଯାଇଥିଲା। ଏହାର ଅର୍ଥ ହେଲା ଡିଡିଏମ୍ ଏତେ ପ୍ରଭାବଶାଳୀ ଯେ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ସେ ଖାତିର କରି ନାହାନ୍ତି। ଆହୁରି ଏକ ବିପଜ୍ଜନକ ଦିଗଟି ହେଲା ଯେ ଉତ୍ତୋଳନ କାର୍ଯ୍ୟ ବନ୍ଦ ବୋଲି ଡିଡିଏମ୍ କହୁଥିବା ବେଳେ ସାଟେଲାଇଟ୍‌ ଚିତ୍ର ଅନୁସାରେ ସବୁ କାମ ବେଧଡ଼କ ଚାଲିଛି । ଜିଲାପାଳ କ’ଣ ଏକଥା ଜାଣି ନାହାନ୍ତି ? ନା ସ୍ୱାଧୀନ ବିଧାୟକ ଲିକୁ ସାହୁଙ୍କ ଭୟରେ କିଛି ପଦକ୍ଷେପ ନେବାକୁ ତାଙ୍କର ସାହସ ନାହିଁ ? ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଜାତୀୟ ସ୍ୱାର୍ଥକୁ ଜଣେ ସ୍ବାଧୀନ ବିଧାୟକଙ୍କ ସ୍ୱାର୍ଥ ଆଗରେ ବଳି ଦେବାକୁ ପସନ୍ଦ କରିବେ କି ?

Leave a Reply

Your email address will not be published. Required fields are marked *