ଆରମ୍ଭ ହେଲା ମୋହନ ସରକାର ବିରୋଧରେ ମେଳି। ପାଣ୍ଡିଆନ ସିଣ୍ଡ୍ରୋମ୍ କେତେ ପ୍ରଖର ତାହା ଏବେ ଆସିଛି ପଦାକୁ । ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଜାତୀୟସ୍ତରରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଘଟଣାରେ ତତ୍କାଳୀନ ଆଇଆଇସିଙ୍କ ସମେତ ୪ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା ବେଳେ ଏହା ବିରୋଧରେ ପୁଲିସ ଏକାଠି ହେବା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ।

ଶନିବାର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ ଶତାଧିକ ପୁଲିସ ଅଧିକାରୀ। ଭରତପୁର ଥାନା ଘଟଣାରେ ପୁଲିସ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ମୋହନ ସରକାର ନେଇଛନ୍ତି ତା’ ବିରୋଧରେ ସେମାନେ ଏକାଠି ହେବା ସହ କରିଛନ୍ତି ଦୃଢ଼ ପ୍ରତିବାଦ। ତେବେ ବଡ଼ ପ୍ରଶ୍ନ ୨୪ ବର୍ଷ ଧରି ସରକାରର ହଁ କୁ ହଁ ମିଳାଉଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏତେ ସାହସ ଦେଲା କିଏ ? ନିର୍ଭୟ ବାରମ୍ବାର ଲେଖି ଆସିଛି ଏବେବି ରାଜ୍ୟରେ ପାଣ୍ଡିଆନ ସିଣ୍ଡ୍ରୋମ୍ କମ କରୁଛି । ଆଉ ଏହାର ପ୍ରମାଣ ଶନିବାର ରିଜର୍ଜ ପୁଲିସ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକ ଶାସନ ସମୟରେ ପାଣ୍ଡିଆନ ଥିଲେ ସର୍ବେସର୍ବା । ସେ ସମୟରେ ଏହି ଅଧିକାରୀମାନେ ପଦୁଟିଏ କହିବାକୁ ସାହସ ପାଉନଥିଲା ବେଳେ ପାଣ୍ଡିଆନ ଓ ବିଜେଡିର ପ୍ରବକ୍ତା ହୋଇ ସାମ୍ବାଦିକ ସମ୍ମିଳନୀ କରୁଥିଲେ ।

ତେଣୁ ଶନିବାର ଏହି ଘଟଣା ସୂଛାଉଛି ଯେ ପୂର୍ବ ମାଲିକଙ୍କଠାରୁ ସାହସ ପାଇ ପୁଲିସ ଅଧିକାରୀମାନେ ଏଭଳି ମେଳି ଆରମ୍ଭ କରିଛନ୍ତି ? ତେବେ ପ୍ରକୃତରେ ଏହି ମେଳି ପଛରେ କିଏ ? ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *