ପ୍ରସନ୍ନ ଆଚାର୍ଯ୍ୟ ଏମିତି ଜଣେ ନେତା ଯିଏ କି ବିଧାୟକ ହେଇଚନ୍ତି । କ୍ୟାବିନେଟ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି। ଲୋକସଭାକୁ ଯାଇଚନ୍ତି। ରାଜ୍ୟସଭା ସଦସ୍ୟ ବି ହେଇଚନ୍ତି। ପୁଣି ଶଙ୍ଖ ଦଳର ସେ ହଉଚନ୍ତି ସବୁଠୁ ଆଗଧାଡିର ପ୍ରତିଷ୍ଠାତା ସଦସ୍ୟ ଏବଂ ପ୍ରଥମ ସେକ୍ରେଟେରୀ ଜେନେରାଲ । ଏବେ ସେ ଦଳର ଉପନେତା ଅଛନ୍ତି । ବରଗଡରୁ ବିଧାୟକ ହେଇଚନ୍ତି । ସମ୍ବଲପୁର ସାଂସଦ । ଏବେ ରେଢ଼ାଖୋଲ ବିଧାୟକ । ପୁରା ପଲିଟିକାଲ ନେତା। ଟାଣୁଆ, ଅଭିଜ୍ଞ ଏବଂ କୂଟନୀତିରେ ଧୂରୀଣ।

ନିକଟରେ ସେ ଏମିତି କଥା କହିଚନ୍ତି ଯେ, ଶଙ୍ଖ ଦଳର ନେତାମାନଙ୍କ ଦେହରେ ଚେଙ୍କ ଦେଲା ଭଳି ଲାଗି ଯାଇଥିବ । କିନ୍ତୁ ଇଶାରା କଲେ ସୁରେଶ ପୂଜାରୀଙ୍କୁ । କିନ୍ତୁ ଲକ୍ଷ୍ୟ ଯେ ଥିଲା ନବୀନଙ୍କ ଆଡ଼କୁ ଏଥିରେ ଆମର ତିଳେ ବି ସନ୍ଦେହ ନାହିଁ । ଏକଥା ଶୁଣିଲା ପରେ ମନେପଡ଼ିଗଲା ହିନ୍ଦୀ ଗାନା । କହିଁପେ ନିଗାହେଁ, କହିଁପେ ନିଶାନା ।

ସଭାଟି ଥିଲା ରେଢ଼ାଖୋଲରେ । ପାଖରେଥିଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ସୁରେଶ ପଦ୍ମ ଦଳର । ୨୦୧୯ ଲୋକସଭା ନିର୍ବାଚନରେ ବରଗଡ ଆସନରୁ ସୁରେଶ ଅଳ୍ପକିଛି ଭୋଟରେ ପ୍ରସନ୍ନଙ୍କୁ ହରାଇଥିଲେ । କିନ୍ତୁ ଦି’ଜଣଙ୍କ ଭିତରେ ସମ୍ପର୍କରେ ତିକ୍ତତା ନଥିଲା କି ଏବେ ନାହିଁ । କହୁଁ କହୁଁ ପ୍ରସନ୍ନ ଭାଇ କିଛି କ୍ଷୋଭଭରା ସଂଳାପ ଉଚ୍ଚାରଣ କଲେ । କହିଲେ ପଶ୍ଚିମ ଓଡ଼ିଶାର ନେତା କ’ଣ ଓଡ଼ିଶାର ନେତା ହେଇପାରିବେ ନାହିଁ ? ସେମାନେ କ’ଣ ମଲା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ନେତା ହେଇରହିଯିବେ ? ସୁରେଶ ପୂଜାରୀ କ’ଣ ଓଡ଼ିଶା ନେତା ହେଇପାରିବେନି ? ଅନ୍ୟମାନଙ୍କୁ ଲାଗୁଥିବ ଯେ, ପୂଜାରୀଙ୍କୁ ଓଡ଼ିଶାର ନେତା ଦେଖୁବାକୁ ଚାହୁଁଚନ୍ତି ପ୍ରସନ୍ନ । କିନ୍ତୁ ଅସଲକୁ ତାହା କି ?

ସୁରେଶ ଭାଇ ପଦ୍ମ ଧରିବାର ଅଳ୍ପଦିନ ତରେ ସେହି ଦଳର ରାଜ୍ୟସଭାପତି ବନିଗଲେ । ଏମିତି ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ । ତାଙ୍କ ପୂର୍ବରୁ ବିମ୍ବାଧର କୁଅଁର ଓ କେଭି ସିଂଦେଓ ପଦ୍ମ ସଭାପତି ହେଇଚନ୍ତି। ସୁରେଶ ରାଷ୍ଟ୍ରୀୟ ସମ୍ପାଦକ ମଧ୍ଯ ହେଇଚନ୍ତି । କିନ୍ତୁ ଶଙ୍ଖ ଦଳରେ ପ୍ରସନ୍ନଙ୍କ ଯେଭଳି ହିନିମାନିଆ କରାଯାଇଚି ତାହା ସେ ଏବେ ବି ଭୁଲି ପାରୁ ନଥିବେ । ନବୀନ ବାବୁ ତାଙ୍କୁ ଉପନେତା କରିଚନ୍ତି । ପିଏସିରେ କିନ୍ତୁ ତାଙ୍କ ନାମ ନାହିଁ । କୌଣସି ବଡ଼ ନିଷ୍ପତ୍ତିରେ ତାଙ୍କୁ ଡକାଯାଉନାହିଁ । ନବୀନ ବାବୁ ବ୍ୟବହାର କରି ତାଙ୍କୁ ଫୋପାଡିଚନ୍ତି। ରାଜ୍ୟ ନେତୃତ୍ବ ନେବା ପାଇଁ ସବୁ ଗୁଣ ଥାଇ ବି ଦଳ ତାଙ୍କୁ ସେଭଳି ସ୍ବୀକୃତି ଦେଇନାହିଁ। ରାଜ୍ୟସଭା ଉପାଧ୍ଯକ୍ଷ ପଦବୀ ଆସୁଥିଲା । ନବୀନ କରାଇ ଦେଲେ ନାହିଁ । ପ୍ରସନ୍ନ ଭାଇ ଠିକ ଜାଣିଚନ୍ତି ତାଙ୍କ ଦଳରେ ପଶ୍ଚିମ ଓଡ଼ିଶା ନେତାଙ୍କ କିଛି ବି ମୂଲ୍ୟ ନାହିଁ।

Leave a Reply

Your email address will not be published. Required fields are marked *