ରାଜ୍ୟ ସୂଚନା କମିଶନ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପୂରଣ ପାଇଁ ଅତ୍ୟନ୍ତ ତତ୍ପର ହୋଇପଡ଼ି ଥିବାବେଳେ ମୋହନ ସରକାର ଲୋକାୟୁକ୍ତ ପୁନର୍ଗଠନ କରିବେ କେବେ ? ଏହା ବଡ଼ ଚିନ୍ତାର କାରଣ ହୋଇଛି। ପିସିସି ସଭାପତି ଭକ୍ତଚରଣ ଦାସ ଏହି ପ୍ରତିନିଧୂଙ୍କୁ କହିଛନ୍ତି ଯେ ଭାଜପା ସରକାର କ’ଣ ଚା ଚାହାଁନ୍ତି ? ଲୋକେ ଦୁର୍ନୀତି ବିରୋଧରେ ଅଭିଯୋଗ ଆଣିବାକୁ କେଉଁଠିକୁ ଯିବେ ? ମୋହନ ସରକାରଙ୍କ ବର୍ଷ ପୂର୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଲୋକାୟୁକ୍ତ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଲୋକାୟୁକ୍ତ ଚୟନ ବ୍ୟାପାରରେ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି। ଭକ୍ତ କହିଛନ୍ତି ଯେ ଖୁବ୍ଶୀଘ୍ର ଏ ବ୍ୟାପାରରେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟିବ ଓ ଏକ ସ୍ମାରକପତ୍ର ଦେବ। ଭାଜପା ସରକାର ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଭକ୍ତ। ଲୋକାୟୁକ୍ତକୁ ନେଇ ନବୀନ ସରକାର ବହୁ ନାଟକ କରିଥିଲେ। ଶେଷରେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଅଜିତ ସିଂଙ୍କୁ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ବଡ଼ ଭୂମିକା ଥିଲା । ଲୋକାୟୁକ୍ତ ଅଜିତ ସିଂ ନବୀନ ସରକାରଙ୍କ ଦୁର୍ନୀତିକୁ ଘୋଡ଼ାଇବା ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ। ଏହା ଫଳରେ ଲୋକାୟୁକ୍ତ ତାର ପ୍ରତିଷ୍ଠା ହରାଇଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ଲୋକାୟୁକ୍ତଙ୍କ ଭୂମିକା ଅତ୍ୟନ୍ତ ବିବାଦୀୟ ଥିଲା । ଇତିମଧ୍ଯରେ ଅଜିତ ସିଂଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ମୋହନ ସରକାର ଆଉ ନୂଆ ଲୋକାୟୁକ୍ତ ନିଯୁକ୍ତ କରିନାହାନ୍ତି। ଜଷ୍ଟିସ ଅଜିତ ସିଂ ମୁଖ୍ୟ ଲୋକାୟୁକ୍ତ ଏବଂ ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ୍ ବିକେ ନାୟକ ଏବଂ ସଦସ୍ୟ ଦେବବ୍ରତ ସାଇଁଙ୍କ କାର୍ଯ୍ୟକାଳ ଅନେକ ଦିନରୁ ପୂରିଗଲାଣି। ଅର୍ଥାତ ଲୋକାୟୁକ୍ତର କୌଣସି ଅଧ୍ୟକ୍ଷ ଏବଂ ଦୁଇ ସଦସ୍ୟ ନାହାନ୍ତି । କେବଳ ଅଛନ୍ତି ପୂର୍ବତନ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା। ସେ କୌଣସି ମାମଲା ପ୍ରାୟତଃ ଶୁଣୁ ନାହାନ୍ତି। ସେ କେବଳ ପ୍ରଶାସନିକ କାର୍ଯ୍ୟ ଚଳାଉଛନ୍ତି। ସୂଚନା କମିଶନ ଗଠନ ହୋଇଥିଲେ ହେଁ ସୂଚନା ଦେବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯାଇଥିବା ଅଭିଯୋଗ ହେଉଥିବାବେଳେ ଲୋକାୟୁକ୍ତ ଗଠନରେ ସରକାର କାହିଁକି ଏତେ ବିଳମ୍ବ କରୁଛନ୍ତି, ତାହା ଏକ ଚିନ୍ତାର କାରଣ ହୋଇଛି। ମୋହନ ସରକାର ଲୋକାୟୁକ୍ତ ଚାହାଁନ୍ତି କି ? ବ୍ୟବସ୍ଥା ଅନୁସାରେ ଏପର୍ଯ୍ୟନ୍ତ ମନୋନୟନ କମିଟି ଗଠନ କରିନାହାନ୍ତି ସରକାର। ଏହା ଭିତରେ ବର୍ଷାଧିକ କାଳ ଚାଲିଗଲାଣି। ମୋହନ ସରକାରଙ୍କ ଅମଳ ରେ ମହିଳା କମିଶନ ନାହାନ୍ତି । ଶିଶୁ ସୁରକ୍ଷା କମିଶନ ନାହିଁ। ଲୋକାୟୁକ୍ତ ନାହାନ୍ତି। କ’ଣ ଚାହାଁନ୍ତି ସରକାର ? ଏହି କଥା ଉଠାଇଛନ୍ତି ପିସିସି ସଭାପତି । ମୁଖ୍ୟ ବିରୋଧୀ ଦଳ ବିଜଦ ଏବାବଦରେ ରେ ପ୍ରଶ୍ନ ମଧ୍ୟ ଉଠାଉ ନାହିଁ । ସବୁ କ’ଣ ସଲାସୁତରାରେ ଚାଲିଛି କି ବୋଲି ପଚାରି ପଚାରିଛନ୍ତି ଭକ୍ତ। Post navigation ନାବାଳିକା ଯୌନ ନିର୍ଯାତନା ମାମଲା: ଗିରଫ ପରେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନାଙ୍କୁ ନିଲମ୍ବନ କଲା ବିଜେଡି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି