ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି ବୁଜି ବସିଥିଲେ । ଏକଥା ଭାବିଲା ବେଳକୁ ଧିକ୍ କହିବାକୁ ଇଚ୍ଛା ହଉଚି । ବାଣୀବିହାର ଛାତ୍ରଙ୍କୁ ହଷ୍ଟେଲ ରୁମ ମିଳୁ ନ ଥିଲା । ରହୁଥିଲେ ଜମାଟୋ ଓ ସୁଗିବାଲା । ଓଲା ଓ ଉବେର ଡ୍ରାଇଭର ବି ରହୁଥିଲେ । ଏମିତି ବିଶ୍ଵବିଦ୍ୟାଳୟ ସାରା ଜଗତରେ ବି ନଥିବ ! ଛାତ୍ର ସଂସଦ ନିର୍ବାଚନ ହବ ବୋଲି ନିଷ୍ପତ୍ତି ନହୁଏ କି ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଦ ନଭାଙ୍ଗେ । ଆମଭଳି ନିନ୍ଦୁକମାନଙ୍କୁ କାହିଁକି ଲାଗୁଚି ଯେ, ସବୁ ମିଲିଭଗତରେ ଚାଲିଥିଲା। ଛାତ୍ର ନେତା ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କିଛି ନେଣଦେଣ ଥିଲା କି ନାହିଁ ତା’ ଉପରେ ମଧ୍ୟ ତଦନ୍ତ ହବା ଜରୁରୀ । ଏ ଛାତ୍ର ନେତାମାନଙ୍କୁ କ’ଣ କହିବା ? ବିଶ୍ବବିଦ୍ୟାଳୟ ହଷ୍ଟେଲ ରୁମକୁ କିଏ ଭଡ଼ାରେ ଦିଏ କି ? ଏହା ଶିକ୍ଷା ଜଗତକୁ ଅପମାନ ନୁହେଁ କି ? ସେଥିରୁ ସେମାନଙ୍କର ଯାଏ କେତେ ଆସେ କେତେ ? ଯଉଁଠି ଚେର ଖୋଜିଲେ ନିହାତି ବାହାରିବ ଶଙ୍ଖ ଦଳ ପାଖରେ। ଏବେ ଜଣେ ଶଙ୍ଖ ଛାତ୍ରନେତା କହୁଥିଲେ ପଦ୍ମନେତାଙ୍କୁ ହଷ୍ଟେଲରୁ ବାହାର କରାଯାଉ । ଅର୍ଥାତ୍ ସେମାନେ ସେଠାରେ ଭଡା ସିଷ୍ଟମ କରିଥିଲେ ବୋଲି ମାନିଲେ। ହଷ୍ଟେଲଠାରୁ ଆହୁରି ସାଂଘାତିକ କ୍ୱାର୍ଟର କଥା। ପୂର୍ବ କୁଳପତି ମାଡାମ ଆଚାର୍ଯ୍ୟ ଇନଫାଷ୍ଟ୍ରକଚର ଉପରେ କୁଆଡେ ଗୁରୁତ୍ବ ଦଉଥିଲେ । କିନ୍ତୁ ବିଶ୍ବ ବିଦ୍ୟାଳୟ ପରିସରରେ କର୍ମଚାରୀଙ୍କ ଲାଗି ନିର୍ମିତ କ୍ୱାର୍ଟର କେମିତି ଆଉ କାହାକୁ ଭଡ଼ାରେ ଦିଆଯାଉଥିଲା ? କର୍ତ୍ତୃପକ୍ଷଙ୍କ ଚକ୍ଷୁଦୋଷ ଥିଲା କି ? କାନରେ ଏମିତି କିଛି ଖବର ପଡ଼ୁନଥିଲା କି ? ଏବେ ଅପରେସନ ଅଲଆଉଟ୍ ଆରମ୍ଭ ହେଇଟି। ଯଦି ପୂର୍ବ ଓ ବର୍ତ୍ତମାନର ଛାତ୍ରମାନେ କୁଳପତିଙ୍କୁ ଘେରାଉ କରିନଥାନ୍ତେ, ତେବେ ଏ ଅପରେସନ କ’ଣ ଆରମ୍ଭ ହେଇଥାନ୍ତା ? କର୍ତ୍ତୃପକ୍ଷଙ୍କ ଲାଜସରମ କିଛି ଅଛି ବୋଲି ଆମକୁ କାହିଁକି ଲାଗୁନି । ଖାଲି କ’ଣ କ୍ୱାର୍ଟର ଭଡ଼ାରେ ଦିଆଯାଇଥିଲା ଓ ଅଣ କର୍ମଚାରୀମ ମାନେ ରହୁଥିଲେ ? ରାଜ୍ୟର ସବୁଠୁ ଅଗ୍ରଣୀ ବିଶ୍ବବିଦ୍ୟାଳୟ ଭିତରେ ଯେତିକି ବସ୍ତି ଗଢ଼ି ଉଠିଚି ସେକଥା ଭାବିଲେ ମୁଣ୍ଡ ଘୁରେଇ ଦବ । ବସ୍ତି ଭୋଟ ଉପରେ ଶଙ୍ଖ ଦଳର ଭାରି ଭରସା ଥିଲା। ତେଣୁ ସେମାନେ ବିଶ୍ବବିଦ୍ୟାଳୟ କଥା କହିଁ କି ଚିନ୍ତା କରିବେ ? ଯଉଁଠି ଇଚ୍ଛା ଗଢ଼ି ଉଠୁ ବସ୍ତି । ଏବେ ପ୍ରଶ୍ନ ହଉଚି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବେଆଇନ ବସ୍ତିଗୁଡ଼ିକୁ ଭାଙ୍ଗିବେ ନା ନାହିଁ । ଶଙ୍ଖ ସରକାରଙ୍କ ପାପକୁ ପଦ୍ମ ସରକାର ପୁଣି ଘୋଡେଇ ଦେବେନି ତ ? Post navigation ଲୋକାର୍ପିତ ହେଲା ଲୋପାମୁଦ୍ରାଙ୍କ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’