ଓଡ଼ିଶାସାରା ଛି ଛି। କିନ୍ତୁ ପ୍ରଚାର ଚାଲିଛି ଦିଲ୍ଲୀରେ। ପୁଣି ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କର ନୁହେଁ । ଡିଜିପି ଓ୍ବାଇବି ଖୁରାନିଆଙ୍କର। ସରକାରଙ୍କ ଏଭଳି ଗତି ସର୍ବତ୍ର ଆଲୋଚନା ପାଇଁ ବାଟ ଫିଟାଇ ଦେଇଛି। ନବୀନ ସରକାରଙ୍କ ଅମଳରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରୀକଳର ପ୍ରଶଂସନୀୟ ଉଦ୍ୟମସତ୍ତ୍ବେ ବାହା ବାହା କରାଯାଉଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ସରକାରୀ ଏବଂ ଦଳୀୟସ୍ତରରେ ନବୀନ ବାବୁଙ୍କ ଭାବମୂର୍ତିରେ ବିପର୍ଯ୍ୟୟ ପରିଚାଳନା ସଫଳତାକୁ ଏକ ବିରାଟ ପୃଷ୍ଠା ଭାବେ ଦର୍ଶାଯାଉଥିଲା। ତାଙ୍କୁ ହିଁ ପୁରସ୍କାର ମିଳୁଥିଲା । କିନ୍ତୁ ଲୋକଙ୍କ ସରକାରରେ ଲୋକମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସତେ କି କେହି ନୁହଁନ୍ତି ? ବିପର୍ଯ୍ୟୟ ପରିଚାଳନା ପାଇଁ ସବୁ ପ୍ରଶଂସାର ହକଦାର ଡିଜିପି ଖୁରାନିଆ। କେଉଁଠି ଏଭଳି ପ୍ରଚାର ଆରମ୍ଭ ହୋଇଛି ଶୁଣିଲେ ଅବାକ୍ ହୋଇଯିବେ। ରଥଯାତ୍ରା ସମୟରେ ଭିଡ଼ ଏବଂ ଟ୍ରାଫିକ ପରିଚାଳନାକୁ ନେଇ ସରକାର ଚାରିଆଡୁ ସମାଲୋଚିତ ହେଲେ । ଏପରିକି ଏଆଇ ଓ ସିସିଟିଭି କ୍ୟାମେରା କେଉଁ କାମରେ ଲାଗୁଥିଲା ତାଙ୍କୁ ବୋଲି ପ୍ରଶ୍ନ ଉଠିଥିଲା । ଭିଡ଼ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ନନ୍ଦିଘୋଷ ରଥ ଟଣା ହୋଇପାରିଲା ନାହିଁ । ଭିଡ ବେଳେ ଅଣନିଶ୍ଵାସୀ ହୋଇ ପାଖାପାଖି ୭୦୦ ଶ୍ରଦ୍ଧାଳୁ ବେହୋସ ହୋଇଯାଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୯ତାରିଖ ଭୋରୁ ଗୁଣ୍ଡିଚା ମନ୍ଦିର ପାଖରେ ଦଳାଚକଟାରେ ତିନିଜଣ ଭକ୍ତଙ୍କର ମୃତ୍ୟୁ ମଧ୍ଯ ଘଟିଲା। ମୁଖ୍ୟମନ୍ତ୍ରୀ ବ୍ୟତିବ୍ୟସ୍ତ ହୋଇ ମୁଖ୍ୟ କୋର୍ଡିନେଟର ଭାବେ ସଂଜୟ କୁମାରଙ୍କ ବଦଳରେ – ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ଵ ଦେଲେ। ଟ୍ରାଫିକ ପରିଚାଳନା ଦାୟିତ୍ୱରୁ ଦୟାଲ ଗଙ୍ଗୱାରଙ୍କୁ ବଦଳାଇନଥିଲେ ମଧ୍ୟ ପୁରୀ ଏସପି ଓ ଜିଲ୍ଲାପାଳଙ୍କୁ ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ । ରଥ ପରିଚାଳନା ଦାୟିତ୍ୱ ଅରବିନ୍ଦ ଅଗ୍ରୱାଲଙ୍କୁ ଦିଆଗଲା । ଏହାପରଠୁ ବାହୁଡା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀ ବିଜେ ସୁରୁଖୁରୁରେ ହୋଇଗଲା। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚାରିଆଡୁ ପ୍ରଶଂସା ମିଳିଲା। ନିଜେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କର ଶରଣାପନ୍ନ ହେଲେ । କିନ୍ତୁ ଏବେ ପ୍ରଶଂସା ସାଉଁଟିବା ଉଦ୍ୟମ ଆରମ୍ଭ କରିଛନ୍ତି ଡିଜିପି ଖୁରାନିଆ । ଦିଲ୍ଲୀରୁ ପ୍ରକାଶିତ ଦି ଡେଲି ଗାର୍ଡିଏନ ଖବରକାଗଜର ପୃଷ୍ଠା ୩ ରେ ରାକେଶ ସିଂଙ୍କର ଏକ ପ୍ରବନ୍ଧ ପ୍ରକାଶ ପାଇଛି । ଏଥିରେ ଡିଜିପି ଖୁରାନିଆଙ୍କର ଭୂରିଭୂରି ପ୍ରଶଂସା କରାଯାଇଛି। ସତେ ଯେମିତି ତାଙ୍କର ଦକ୍ଷତା ଯୋଗୁ ରଥଯାତ୍ରା ଅତ୍ୟନ୍ତ ସୁରୁଖୁରୁରେ ହୋଇଗଲା । ପ୍ରକୃତ ପ୍ଲାନିଂ କୁଆଡେ ଖୁରାନିଆ କରିଥିଲେ। ନବୀନ ସରକାରରେ ଏମିତି କୌଣସି ଡିଜିପି କିମ୍ବା ବରିଷ୍ଠ ଅଧିକାରୀଙ୍କ ପରିଚାଳନା ସଂକ୍ରାନ୍ତରେ ପୃଷ୍ଠିକିଆ ପ୍ରବନ୍ଧ କେବେ ପ୍ରକାଶ ପାଇଥିଲା କି ? ଏବେ ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଚା ଦେଖାଇବାକୁ କାହିଁ କି ଲାଗିପଡ଼ିଛନ୍ତି ? ଏମିତି ସାହାସ କେମିତି ହୋଇପାରୁଛି ? ଏହି ପ୍ରବନ୍ଧଟି ପାଇଁ କେତେ ଅର୍ଥ କିଏ ଖର୍ଚ୍ଚ କରିଥିବ ତାହା ମୋହନ ବାବୁ ଅନୁସନ୍ଧାନ କରି ଜାଣିପାରନ୍ତି। କିନ୍ତୁ ପୁଲିସ ବିଭାଗର ଭାବମୂର୍ତ୍ତି ଉଜ୍ଜଳ କରି ରଖୁବା ପାଇଁ ଡିଜିପି ପୂର୍ବ ସରକାରଙ୍କର ଏକ ଗେହ୍ଲାପୁଅ ସଂସ୍ଥାକୁ ବାର୍ଷିକ କୋଟିଏ ଟଙ୍କାରୁ ଅଧିକ ଅର୍ଥ ଦେଇ ନିୟୋଜିତ କରିଛନ୍ତି । ଏଣେ ଓଡ଼ିଶାରେ ପୁଲିସ ନାଁରେ ଡିବିଡିବି ବାଜୁଛି। ଅଥଚ ଖୁରାନିଆଙ୍କ ଭାବମୂର୍ତ୍ତି ପ୍ରଚାରରେ ବୋଧହୁଏ ସେହି ସଂସ୍ଥା ଅଧିକ ଧ୍ୟାନ ଦେଇଛି। ଆରମ୍ଭରେ ପ୍ରାବନ୍ଧିକ ଲେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ସାଧାରଣରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ପ୍ରଶଂସା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରାରେ ଡିଜିପି ଓ୍ୱାଇବି ଖୁରାନିଆଙ୍କର ଚମତ୍କାର ପରିଚାଳନା କାରଣରୁ ଏକ ଉଦାହରଣୀୟ ନେତୃତ୍ବ ପ୍ରଦର୍ଶିତ ହୋଇଛି । ଏହି ପ୍ରବନ୍ଧରେ ରାକେଶ ସିଂ ଖୁରାନିଆଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏଇ ଭଳି ନିବନ୍ଧ ପ୍ରାୟୋଜିତ ବୋଲି ଜଳ ଜଳ ହୋଇ ଜଣାପଡ଼ିଯାଉଛି। ମୁଖ୍ୟମନ୍ତ୍ରୀ ମାହନ ବାବୁ ପ୍ରଶାସନ ଉପରୁ ନିୟନ୍ତ୍ରଣ ହରାଉଛନ୍ତି । ଏଣେ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ଫୋକସ୍ କରୁଛି । କିନ୍ତୁ ପୁଲିସ ବିଭାଗ ଖୁରାନିଆଙ୍କ ଭାବମୂର୍ତ୍ତି ବଢ଼ାଇବାରେ ଲାଗିପଡ଼ିଛି । ଆଇନ ଶୃଙ୍ଖଳା ଭୁଶୁଡି ପଡୁଥିବା ବେଳେ ସରକାର ଅଡ଼ୁଆରେ ପଡୁଛନ୍ତି । କିନ୍ତୁ ଯେହେତୁ ଦିଲ୍ଲୀରୁ ଆସିଛନ୍ତି ଡିଜିପି ବୋଧହୁଏ ସେଥି ପାଇଁ ଲୋକମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରିବା ପାଇଁ ଏକ ବୃହତ୍ତର ଚକ୍ରାନ୍ତ ଆରମ୍ଭ ହୋଇଯାଇଥିବା ଆଶଙ୍କା କରାଯାଉଛି । ରଥଯାତ୍ରାରେ ବିଭ୍ରାଟ ଘଟିଛି । କିନ୍ତୁ ମୋହନ ବାବୁଙ୍କ ପରବର୍ତ୍ତୀ ପଦକ୍ଷେପ କାରଣରୁ ବାହୁଡ଼ାଯାତ୍ରା ଅତି ସୁନ୍ଦର ଭାବେ ପରିଚାଳିତ ହୋଇଛି । ଏହି ପ୍ରତିନିଧି ସ୍ଵୟଂ ଦେଖିଛି ଯେ ବାହୁଡ଼ା ଦିନ ଘନଘନ ଫୋନ୍ କରି ମୁଖ୍ୟମନ୍ତ୍ରୀ ସବୁ ଅଧିକାରୀମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ପ୍ରଶଂସା ସାଉଁଟିବା ପାଇଁ ଡିଜିପି ଉଦ୍ୟମ କରିବେ ଏହା କେମିତି କଥା ! ମୁଖ୍ୟମନ୍ତ୍ରୀ ଏହାକୁ କି ଭାବେ ଗ୍ରହଣ କରିବେ ସେ ଜାଣିଥିବେ । କିନ୍ତୁ ନବୀନ ସରକାରଙ୍କ ଅମଳରେ ଏଭଳି ଦୁଃସାହସ କେହି ଦେଖିନଥିଲେ ଯାହା ଏବେ ଦେଖିବାକୁ ମିଳିଲାଣି ଏବଂ ଆଗକୁ ମଧ୍ୟ ମିଳିବ। Post navigation ଏଫଏମ କଲେଜ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ରାଜ୍ୟପାଳ; ନିଆଯାଇଥିବା ପଦକ୍ଷେପ ବିଷୟରେ ମାଗିଲେ ବିସ୍ତୃତ ସୂଚନା ବାଲେଶ୍ୱର ଏଫ୍.ଏମ୍. କଲେଜ ନିଲମ୍ବିତ ପ୍ରିନ୍ସିପାଲ ଗିରଫ