ସଂସଦର ଉଭୟ ଗୃହରେ ଜୋରଦାର ବିତର୍କ ପରେ ଗୃହୀତ ହୋଇଥିବା ୱକଫ ସଂଶୋଧନ ବିଲକୁ ରାଷ୍ଟ୍ରପତି ଅନୁମୋଦନ ଦେଇଛନ୍ତି । ଆଇନ୍ରେ ପରିଣତ ହେଲା ୱକ୍ଫ ସଂଶୋଧିତ ବିଲ୍ । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି । ସଂସଦରେ ପାସ୍ ହେବା ପରେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ଶନିବାର ୫ ଏପ୍ରିଲ ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଜାରି କରାଯାଇଛି । ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ଏହି ଆଇନକୁ ଏବେ ୱକଫ ସଂଶୋଧନ ଆଇନ ୨୦୨୫ କୁହାଯିବ । ୱକଫ ଶଦ୍ଦ ବିଦଳରେ ଉମ୍ମିଦ ବା ଏକୀକୃତ ୱକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଓ ବିକାଶ ବ୍ୟବହାର ହେବ । ସୂଚନା ଯୋଗ୍ୟ; ୱକଫ୍ ଶଂସୋଧିତ ବିଲକୁ ପ୍ରଥମେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ବିଲ୍ ସପକ୍ଷରେ ୨୮୮ଟି ଏବଂ ବିପକ୍ଷରେ ପଡ଼ିଥିଲା ୨୩୨ଟି ଭୋଟ୍ । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ଗତ ୨ ତାରିଖ ବିଳମ୍ବିତ ରାତିରେ ୱକ୍ଫ ବିଲ୍ଟି ଲୋକସଭାରେ ପାସ୍ ହୋଇଥିଲା । ଏହାପରେ ବିଲ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ରାଜ୍ୟସଭାରେ ରାତି ପ୍ରାୟ ସାଢେ ଦୁଇଟାରେ ପାରିତ ହୋଇଥିଲା ୱକ୍ଫ ସଂଶୋଧିତ ବିଲ୍ । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୯୫ ସାଂସଦ । Post navigation ଆଜି ପବିତ୍ର ରାମ ନବମୀ; ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି ବିଜେପିର ପ୍ରତିଷ୍ଠା ଦିବସ