ଲାଞ୍ଚ ନେଇ ବନ୍ଧା ହେଲେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଅଡିଟର ଅମ୍ବିକା ପ୍ରସାଦ ରଥ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କିରିଛି । ଖୋର୍ଦ୍ଧାର ଏକ ଡିଗ୍ରୀ କଲେଜର ଜଣେ କର୍ମଚାରୀଙ୍କଠାରୁ ଏମ୍ଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍ ଠିକ କରି ଦରମା ଉଠାଇବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଅଡିଟରଙ୍କୁ ଗିରଫ କରିଛି। ଅଭିଯୁକ୍ତ ରଥଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହା ପରେ ତାଙ୍କ ଘର ଏବଂ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ଚଢାଉ ବେଳେ ତାଙ୍କ ଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଠାବ ହୋଇଛି । ଭୁବନେଶ୍ବର ମଧୂସୁଦନ ନଗର ବାସଭବନରୁ ନଗଦ ୨୭ଲକ୍ଷ ୪୨ ହଜାର ୯ଶହ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮ ଲକ୍ଷ ୭୦ ହଜାର ୯ଶହ ଟଙ୍କା ଜବତ ହୋଇଥିବା ବେଳେ ଶ୍ରୀ ରଥଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ; ଖୋର୍ଦ୍ଧା ଡିଗ୍ରି କଲେଜ୍‌ର ଜଣେ କର୍ମଚାରୀଙ୍କୁ ଏମ୍ଏସିପି ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ ଫିକ୍ସେସନ୍ ଠିକ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ଦେଲେ ଯୋଜନାର ସୁବିଧା ମିଳିବ ବୋଲି କହିଥିଲେ । ଏହା ନେଇ କର୍ମଚାରୀ ଜଣଙ୍କ ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ଯୋଜନା ମୁତାବକ ସନ୍ଧ୍ୟାରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଅମ୍ବିକା ରଥଙ୍କୁ କାବୁ କରିଥିଲା । ପରେ ତାକୁ ଭିଜିଲାନ୍ସ ସେଲ୍‌କୁ ଆଣି ଜେରା କରାଯାଇ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *