ପୁରୀ ଜମି ବିବାଦ ପରେ ପୁଣି ଏକ ବଡ଼ ବିବାଦକୁ ନେଇ ଅଦାଲତୀ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟର ଦୁର୍ନୀତି ପାଇଁ ରାଜ୍ୟପାଳ ରଘୁବର ଦାସଙ୍କ ଅନୁମତି ଲୋଡ଼ିଛନ୍ତି ସାମାଜିକ କର୍ମୀ ସୁଧୀର ମହାନ୍ତି । ଏହା ପୂର୍ବରୁ ପୁରୀ ଜମି ଦୁର୍ନୀତି ମାମଲାରେ ମଧ୍ୟ ଅଦାଲତୀ କାର୍ଯ୍ୟାନୁଷ୍ଠାନ ସକାଶେ ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ରାଜ୍ୟପାଳଙ୍କ ଅନୁମତି ମାଗିଛନ୍ତି । କର୍ଣାଟକ ମୁଦା ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଛନ୍ଦି ହୋଇସାରିଥିବା କାରଣରୁ ଏବଂ ଅଦାଲତରେ ମାମଲା ଚଳାଇବାକୁ ସେଠାର ରାଜ୍ୟପାଳ ଥାବର ସିଂହ ଗେହଲତ ଅନୁମତି ଦେଇଥିବାରୁ ଓଡ଼ିଶାର ରାଜ୍ୟପାଳ ଆଉ ଡେରି  ନକରି ପୁରୀ ଜମି ଦୁର୍ନୀତି ମାମଲା ଅନୁମତି ଦିଅନ୍ତୁ ବୋଲି ସର ତୀବ୍ର ହେଉଥିବାବେଳେ ହେଲିକପ୍ଟର ଦୁର୍ନୀତିରେ କୋର୍ଟରେ ମାମଲା ଆରମ୍ଭ କରିବା ସକାଶେ ପୁଣି ରାଜ୍ୟପାଳଙ୍କ ଅନୁମତି ଲୋଡ଼ାଯାଇଛି ।

୨୦୨୩ରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ରାଜ୍ୟ ସାରା ବୁଲିବା ଆରମ୍ଭ କରିଦେଇଥିଲେ ହେଲିକପ୍ଟରରେ । ଜନ ଶୁଣାଣି ନାମରେ ଆରମ୍ଭ ହେଲା ହେଲିକପ୍ଟର ଅଭିଯାନ। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, କେତେବେଳେ ଫାଇଭ-ଟି ଅଧ୍ଯକ୍ଷ ତ ଅନ୍ୟ କେତେବେଳେ ସିଏମ୍ଓ ଭାବେ ଲୋକଙ୍କ ପାଖରେ ତାଙ୍କୁ ନବୀନ ସରକାର ଉପସ୍ଥାପନ କରୁଥିଲେ ।

ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍‌ ନିର୍ମାଣ ଓ ଉଚ୍ଛେଦ ସକାଶେ ଆଖିବୁଜା ପଇସା ଖର୍ଚ୍ଚ କରାଯାଇଥିଲା। ଜନ ଶୁଣାଣି ପାଇଁ ମଞ୍ଚ ବ୍ୟବସ୍ଥା, ଟେଣ୍ଟ, ଚୌକି, ଜନ ସମାଗମ ଏବଂ ଖାଇବା ପିଇବା ଲାଗି ଯେଉଁ ବିପୁଳ ଖର୍ଚ୍ଚ କରାଯାଉଥୁଲା ତାହାର କୌଣସି ହିସାବ ନଥିଲା। ଜଣେ ସରକାରୀ ଅଧିକାରୀ ହୋଇ ହେଲିକପ୍ଟର କିଭଳି ଯଥେଚ୍ଛା ବ୍ୟବହାର କରୁଥିଲେ, ଏହାନେଇ ପ୍ରଶ୍ନ ଉଠିଥିଲା। ସୂଚନା ଅଧିକାର କର୍ମୀ ଏଥିପାଇଁ ତଥ୍ୟ ଲୋଡ଼ିଥିଲେ ହେଁ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଅନୁମୋଦନରେ ଜଣେ ସରକାରୀ ଅଧିକାରୀ କିଭଳି ହେଲିକପ୍ଟରରେ ବୁଲୁଥିଲେ ଓ ଏଥିପାଇଁ ଖର୍ଚ୍ଚ ମଞ୍ଜୁର କିଏ କରୁଥିଲା ବୋଲି ପ୍ରଶ୍ନ ମଧ୍ଯ ଉଠିଲା।

ସାମାଜିକ କର୍ମୀ ସୁଧୀର ମହାନ୍ତି ଏଥିପାଇଁ ନବୀନ ଏବଂ ପାଣ୍ଡିଆନଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଥିଲେ। ଭୁବନେଶ୍ୱର ଏସ୍‌ଡିଜିଏମ୍ କୋର୍ଟ ଏହାର ଶୁଣାଣି କରି ମାମଲା ସକାଶେ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ବୋଲି କହିଥିଲେ। ସେଥ‌ିପାଇଁ ସୁଧୀର ମାମଲା ଲାଗି ଅନୁମତି ଦେବାକୁ ପ୍ରାର୍ଥନା କରି ରାଜ୍ୟପାଳ ରଘୁବର ଦାସଙ୍କୁ ଏକ ପତ୍ର ଲେଖୁଛନ୍ତି।

ରାଜ୍ୟପାଳଙ୍କ ପାଖରେ ଏବେ ଦୁଇଟି ଆବେଦନ ପଡ଼ିଛି। ଗୋଟିଏ ପୁରୀ ଜମି ଦୁର୍ନୀତି ନୀତି ଏବଂ ଦ୍ବିତୀୟଟି ହେଲିକପ୍ଟର ଦୁର୍ନୀତି। ଆଉ କେତେକାଳ ରାଜ୍ୟପାଳ ଏହା ଉପରେ ବସି ରହି ପାରିବେ ? ମୋହନ ସରକାର ଆଉ କେତେଦିନ ନବୀନ ସରକାରଙ୍କ ଦୁର୍ନୀତି ଉପରେ ଆଖିବୁଜି ଦେବେ ? କର୍ଣ୍ଣାଟକରେ ଯଦି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ଚାଲିବା ସକାଶେ ଅନୁମତି ଦେଇପାରୁଛନ୍ତି ତେବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲାରେ କାହିଁକି ଅନୁମତି ନଦେବେ ରାଜ୍ୟପାଳ ରଘୁବର ଦାସ ? ଏବେବି ନବୀନ ପ୍ରୀତିରୁ ଉପରକୁ ଉଠି ପାରିବେ ନାହିଁ କି ମୋହନ ସରକାର ?

 

Leave a Reply

Your email address will not be published. Required fields are marked *