ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ବଢୁଛି ନଦୀସ୍ତର ।ଲଗାଣ ବର୍ଷା ପରେ ରାଜ୍ୟରେ ଫୁଲୁଛି ବିଭିନ୍ନ ନଦୀ । ଏଥିସହିତ କେତେକ ନଦୀରେ ମଧ୍ୟ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଗତ ଦୁଇଦିନ ହେବ ବାଲେଶ୍ବର ସମେତ ମୟୂରଭଞ୍ଜ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁ କାରଣରୁ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରା ଯାଉଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀ ବିପଦ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ରାତି ୮ଟା ସୁଦ୍ଧା ଏଠାରେ ଏହାର ଜଳସ୍ତର ୬.୫୧ ମିଟର ରହିଛି। ଫଳରେ ଏଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଉତ୍ତର ବାଲେଶ୍ଵରର ବିଭିନ୍ନ ତଳିଆ ଅଞ୍ଚଳ ଗତକାଲି ଠାରୁ ଜଳମଗ୍ନ ହେବାରେ ଲାଗିଛି। କେବଳ ଜଳେଶ୍ବର ଅଞ୍ଚଳରେ ଗତ ୧୩ ତାରିଖ ପୂର୍ବାହ୍ନ ୮ ଟା ରୁ ଆଜି ସକାଳ ୮ ଟା ଯାଏଁ ଏହି ୭୨ ଘଣ୍ଟା ମଧ୍ୟରେ ଜଳେଶ୍ଵର ରେ ୨୪୭ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ବାଲେଶ୍ଵର ଦେଇ ପ୍ରବାହିତ ଦୁଇ ନଦୀ ଖରସ୍ରୋତା ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ପରିସ୍ଥିତି ।

ଖରସ୍ରୋତା ସୁବର୍ଣ୍ଣରେଖା ନଦୀ ଅବବାହିକା ଅଞ୍ଚଳରେ ରହିଥିବା ଫେକଘାଟରେ ଗତକାଲି ସକାଳ ସୁଦ୍ଧା ସର୍ବାଧିକ ୧୨୧.୬ ଏମଏମ,ରାଜଘାଟରେ ୧୧୮.୮ ଏମଏମ,ଘାଟଶିଳା ରେ ୯୭.୨ ଏମଏମ,ଜାମଶୋଳାଘାଟ ରେ ୮୦.୦ ଏମଏମ ଓ ଜାମସେଦପୁର ରେ ୨୭.୮ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଗତକାଲି ରାତି ୯ ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୬.୪୯ ମିଟର ଓ ଜାମଶୋଳା ଘାଟ ଠାରେ ୪୭.୪୬୦ ମିଟର ରେ ପ୍ରବାହିତ ହେଉଥିବାର କେନ୍ଦ୍ର ଜଳ କମିଶନଙ୍କ ଦ୍ଵାରା ପରିଚାଳିତ ରାଜଘାଟ ସ୍ଥିତ ବନ୍ୟା ପୂର୍ବାନୁମାନ କେନ୍ଦ୍ର ସୂଚନା ଦେଇଛି ।

ସେହିପରି ଲଗାଣ ବର୍ଷାରେ ବେହାଲ ହୋଇଛି କେନ୍ଦୁଝର ଜିଲ୍ଲା । କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟର ବନ୍ୟାଜଳ । ଫଳରେ ମୟୁରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀର ଜଳ ସ୍ତର ବଢିଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି ।

ଅନ୍ୟପଟେ ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆହୁରି ଦୁଇ ଦିନ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

 

Leave a Reply

Your email address will not be published. Required fields are marked *