ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି। ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ସ୍କିମରେ ଆଉ ୫ଟି ରାଜ୍ୟ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ସାମିଲ ହେବେ । ଆଉ ୩ କୋଟି ଆବାସ ଗୃହ ନିର୍ମାଣ ହେବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ ସହ ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୩ ଲକ୍ଷ କୋଟି ମିଳିବ ।

ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା ହୋଇଛି । ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ।ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ । ସେ ଆଉ ମଧ୍ୟ କହିଛନ୍ତି ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।

ଚଳିତ ବଜେଟରେ ଓଡ଼ିଶା ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ଦିଆଯାଇଛି । ରଜ୍ୟର ପର୍ଯ୍ୟଟନସ୍ଥଳୀ ପାଇଁ ବଜେଟରେ ବିଶେଷ ଘୋଷଣା କରାଯାଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମିଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ । ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରାଯିବ । ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସେହିପରି ଘୋଷଣା କରାଯାଇଛି ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବା ସହ ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ପାଇବେ ।

ତାହାସହ ବଜେଟ ଉପସ୍ଥାପନରେ ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ । ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ସହ ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ।

ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌। ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ । ସେହିପରି ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ । ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା । ଡର୍ମିଟୋରୀ ବ୍ୟବସ୍ଥା ରହିବ, ସୁବିଧାରେ ରହିପାରିବେ ଶ୍ରମିକ ।

ବଜେଟ୍ ଉପସ୍ଥାପନାରେ ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କମିବ କଷ୍ଟମ ଡ୍ୟୁଟି । ଏକ୍ସରେ ଟ୍ୟୁବ୍‌ ଉପରୁ ମଧ୍ୟ ଶୁଳ୍ପ ହ୍ରାସ ନେଇ ହୋଇଛି ଘୋଷଣା । ଏହା ଛଡା ମୋବାଇଲ, ଚାର୍ଜର, ବ୍ୟାଟେରୀ ଶସ୍ତା ହେବ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା ହୋଇଥିବା ବେଳେ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହୋଇଛି ।

Leave a Reply

Your email address will not be published. Required fields are marked *