ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଓଡ଼ିଆ ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ “ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ” ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ନାରୀଶିକ୍ଷାର ଅଗ୍ରଗତିରେ ଅଗ୍ରଣୀ ଭୂମିକା ନେଇଥିଲେ କବି ବିଦ୍ୟୁତ୍ପ୍ରଭା । ଆଧୁନିକ ଓଡ଼ିଆ କାବ୍ୟ କବିତାକୁ ମନନ ପୂର୍ବକ ଯେଉଁ କେତେଜଣ କବିଙ୍କର କବିତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଓ ମାର୍ଗଦର୍ଶନକୁ ଓଡ଼ିଶାର ଜନସାଧାରଣ ପ୍ରୋତ୍ସାହିତ କରିପାରିଥିଲେ ତନ୍ମଧ୍ୟରୁ ବିଦ୍ୟୁତ୍ପ୍ରଭା ଦେବୀଙ୍କ ଅବଦାନ ଅତୁଳନୀୟ । କେବଳ ଶିକ୍ଷା ନୁହେଁ ସାହିତ୍ୟ ସଂରଚନା କ୍ଷେତ୍ରରେ କତିପୟ ଯେଉଁ ଓଡ଼ିଆ ନାରୀ ସମ୍ମୁଖ ଭାଗକୁ ଆସିଥିଲେ ଯାହାକି ଏକ ନୂତନ ଯୁଗର ଅୟମାରମ୍ଭ ହୋଇଥିଲା ବୋଲି ସାରସ୍ୱତ ସାଧିକା କବି ବିଦ୍ୟୁତ୍ପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଆମନ୍ତ୍ରିତ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ଜନ୍ମଶତବାର୍ଷିକୀ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟକ ଭାବେ ଯୋଗଦାନ କରି ଏହି ଜନ୍ମଶତବାର୍ଷିକୀ କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ କବି ବିଦ୍ୟୁତ୍ପ୍ରଭାଙ୍କ ସାରସ୍ୱତ କୃତି ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦାନ କରି କବି ବିଦ୍ୟୁତ୍ପ୍ରଭାଙ୍କ ବହୁମୁଖୀ ପ୍ରତିଭା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକା ତଥା ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରାକ୍ ଆଧୁନିକ ସାହିତ୍ୟରେ ନାରୀ ପ୍ରତିଭାର ଅବଦାନ ଓ ବିଦ୍ୟୁତ୍ପ୍ରଭାଙ୍କର ଜୀବନୀ ଓ କବିତା ଉପରେ ନିଜର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଦସ୍ୟ ତଥା ପୂର୍ବତନ କୁଳପତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଯୋଗଦାନ କରି କବି ବିଦ୍ୟୁତ୍ପ୍ରଭାଙ୍କ ସହିତ ରହିଥିବା ଅନ୍ତରଙ୍ଗ ମାତୃସୁଲଭ ଓ ନାରୀସୁଲଭ କୋମଳ ଅନୁଭୂତିର ବିଭିନ୍ନ ଦୃଷ୍ଟାନ୍ତଗୁଡ଼ିକ କିପରି ଏ ଜନମାନସରେ ଦୃଷ୍ଟି ଗୋଚର ହୋଇପାରିଥିଲା ଏ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡିଚରଣ ରଥ ଏଥିରେ ଯୋଗଦାନ କରି ଉଦ୍ଘାଟନ ଉତ୍ସବରେ ଯୋଗଦାନ କରିଥିବା ଅତିଥି ଓ ବକ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କବି ବିଦ୍ୟୁତ୍ପ୍ରଭାଙ୍କ ଜୀବନ ଓ ଜୀବନର ଅନୁଭୂତି ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ଅବସରରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କବି ବିଦ୍ୟୁତ୍ପ୍ରଭାଙ୍କ କବିମାନସ ଏବଂ ଅନ୍ୟାନ୍ୟ ସାରସ୍ୱତ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକଙ୍କ ସଭାମୁଖ୍ୟରେ ଆୟୋଜିତ ସଭାରେ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବନଜ ଦେବୀ, ପ୍ରଫେସର ସଂଘମିତ୍ରା ମିଶ୍ର, ଗବେଷକ ଓ ସମାଲୋଚକ ପ୍ରଫେସର ନାରାୟଣ ବେହେରା ଯୋଗଦାନ କରି କବି ବିଦ୍ୟୁତ୍ପ୍ରଭାଙ୍କ ସାରସ୍ୱତ କୃତି ଓ କବିତା କିପରି ଏ ଜନମାନସରେ ପ୍ରଭାବ ପ୍ରକାଇଥିଲା ଏ ସଂପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ଅଧିବେଶନଗୁଡ଼ିକରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୁସାହିତ୍ୟିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ସୁସାହିତ୍ୟିକା ରୁମ୍ଝୁମ୍ ନାୟକ, ମମତା ମହାପାତ୍ର, ବିଶିଷ୍ଟ ଅନୁବାଦିକା ଡକ୍ଟର ଶକୁନ୍ତଳା ବଳିୟାରସିଂହ, ବିଶିଷ୍ଟ ସାହିତ୍ୟିକା ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ସୁସାହିତ୍ୟିକ ଶରତ ଚନ୍ଦ୍ର ବାରିକ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସଂଘମିତ୍ରା ଭଞ୍ଜ ଯୋଗଦାନ କରି କବି ବିଦ୍ୟୁତ୍ପ୍ରଭା ନାରୀଶିକ୍ଷାର ଅଗ୍ରଗତିରେ ଅଗ୍ରଣୀ ଭୂମିକା କିପରି ନେଇଥିଲେ ଏବଂ କଠିନ ସାଧନା ଫଳରେ ସାହିତ୍ୟ ଜୀବନର ପରିପୂର୍ଣ୍ଣତା ପାଇଁ ନିଜକୁ କିପରି ପ୍ରସ୍ତୁତ କରିଥିଲେ ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଏହି ଜନ୍ମଶତବାର୍ଷିକୀରେ ଯୋଗଦାନ କରିଥିବା ଅତିଥି ଓ ବକ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କବି ବିଦ୍ୟୁତ୍ପ୍ରଭାଙ୍କ ସାରସ୍ୱତ କୃତି ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତ୍ୟିକ/ସାହିତ୍ୟିକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଜନ୍ମଶତବାର୍ଷିକୀକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । Post navigation ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ