ଶାମ୍ବ ଦଶମୀ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଏକ ପବିତ୍ର ପର୍ବ ଅଟେ। ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳିତ ହୋଇଥାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ । ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । ନିଜ ପରିବାରକୁ ନିରୋଗ ରଖିବା ପାଇଁ ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ଲୋକେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଆଜି ପୂଜା କରିଥାନ୍ତି । ବିଶେଷକରି ଆଜିର ଦିନରେ ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି।

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ଶାମ୍ବ ଦଶମୀ ପୂଜାର ମାହାତ୍ମ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରହିଛି। କୃଷ୍ଣଙ୍କ ପୁତ୍ର ଶାମ୍ବ ଯେବେ ଦୁରାରୋଗ୍ୟ କୁଷ୍ଠ ରୋଗରେ ପୀଡିତ ହୋଇଥିଲେ, ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ନିର୍ଦେଶ କ୍ରମେ ସେ ଚନ୍ଦ୍ରଭାଗା ମହୋଦଧି କୂଳରେ ସୂର୍ଯ୍ୟଦେବଙ୍କ ଆରାଧନା କରିଥିଲେ। ଦୀର୍ଘ ବାର ବର୍ଷର କଠିନ ସାଧନା ଓ ତପସ୍ୟା ଫଳରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଶାମ୍ବଙ୍କୁ ବ୍ୟାଧିମୁକ୍ତ କରିଥିଲେ। ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂର ହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ ।

ସେଥିପାଇଁ ଘରେ ଘରେ ନାରୀ ମାନେ ନିଜର ସନ୍ତାନ ସନ୍ତତିଙ୍କ ସୁସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ଏହି ପର୍ବ ପାଳନ କରିଥାନ୍ତି । ଏପରିକି ସନ୍ତାନଙ୍କ ପାଇଁ ବିଭିନ୍ନ ଫଳ ଓ ମିଷ୍ଟାନ୍ନ ଯାଚନା କରାଯାଇଥାଏ।

Leave a Reply

Your email address will not be published. Required fields are marked *