ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ । ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କ ସହ ରଥରେ ବିରାଜିବେ ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ୧୦ଟା ୪୫ରୁ ରଥ ନୀତିକାନ୍ତି ଆରମ୍ଭ ହେବ ଏବଂ ସାଢ଼େ ୨ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ଭୋର୍ ୪ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସଂପନ୍ନ ହେବ ଏବଂ ସାଢ଼େ ୪ଟାରୁ ଅଧଘଣ୍ଟା ପାଇଁ ସାହାଣମେଲା ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ବିଧି କରାଯାଇ ଛାମୁ ପରିଷ୍କାର ହେବ। ସକାଳ ୫ଟା୩୦ରୁ ୬ଟା ୩୦ ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜୀଉଙ୍କ ବଲ୍ଲଭ, ମା’ ଗୋପାଳୁଣି(ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୭ଟା ୪୫ରୁ ୮ଟା ୧୫ମିନିଟ୍ ମଧ୍ୟରେ ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୮ଟା ୧୫ରୁ ୯ଟା ୧୫ମିନିଟ୍ ଭିତରେ ସେବାୟତଗଣ ସାରିବେ। ଏହାପରେ ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୦ଟା ୧୫ରୁ ୧୦ଟା ୪୫ ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ୧୦ଟା ୪୫ରୁ ୧୧ଟା ୪୫ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ। ଚାର ଖୋଲା ହୋଇ ସାଢ଼େ ୨ଟାରେ ରଥ ମାଉସୀ ମା’ ଅଭିମୁଖେ ଗଡ଼ିବ। ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରିବା ପରେ ସାଢ଼େ ୭ଟାରେ ଅନ୍ୟାନ ନୀତି କରାଯିବ। ଲକ୍ଷଲକ୍ଷ ଭକ୍ତଙ୍କ ସମାବେଶରେ ଉଛୁଳି ଉଠିବ ରଥଦାଣ୍ଡ। ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଝାଞ୍ଜ, ଢୋଲ, ଭେରି, ତୂରୀର ସୁମଧୁର ଝଙ୍କାର ଏବଂ ଲୋକକଳା, ଲୋକନୃତ୍ୟର ସମାହାରରେ ରଥଦାଣ୍ଡ ପଡ଼ିବ ଉଠିବ। ଏ ନେଇ ମନ୍ଦିର ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି। Post navigation CPET Exam 2026: ମେ’ ୫ ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା SDO Of Irrigation Under Vigilance Lens: ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର ଏସଡିଓ