ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଓଡ଼ିଆ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଛି ନୂଆବର୍ଷ । ଏହି ଦିନରେ ପଣା, ଏକ ପାରମ୍ପରିକ ପାନୀୟ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପଣା କେବଳ ଏକ ସ୍ୱାଦିଷ୍ଟ ପାନୀୟ ନୁହେଁ, ଏହା ଓଡ଼ିଆ ସଂସ୍କୃତି, ସାମାଜିକ ଏକତା ଓ ଆଧ୍ୟାତ୍ମିକତାର ପ୍ରତୀକ। ଏହା ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳତା ପ୍ରଦାନ କରେ ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

ଧାର୍ମିକ ଦୃଷ୍ଟିରୁ, ପଣା ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ପଣା ପାନ କରିବା ଦ୍ୱାରା ମନରେ ଶାନ୍ତି ଓ ଶରୀରରେ ଶୁଦ୍ଧତା ଆସେ। ଏହି ଦିନ ମନ୍ଦିରମାନଙ୍କରେ ବିଶେଷ ପୂଜା ଓ ପଣା ବଣ୍ଟନର ଆୟୋଜନ ହୁଏ। ପଣା ସଂକ୍ରାନ୍ତି ନୂଆ ବର୍ଷର ଆରମ୍ଭରେ ସୁଖ, ସମୃଦ୍ଧି ଓ ସୌହାର୍ଦ୍ୟର ସଂଦେଶ ବହନ କରେ।

ଏହା ସହ ଏହି ଦିନରେ ପବନପୁର୍ତ ହନୁମାନଙ୍କ ଜୟନ୍ତୀ । ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି । ଶ୍ରୀରାମ ଭକ୍ତ ମହାବୀର ହନୁମାନ ଆଜିର ଏହି ପବିତ୍ର ଦିବସରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡ଼ୁଥିବାରୁ ରାଜଧାନୀର ସମସ୍ତ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି।

ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଅଗଣାରେ ତୁଳସୀ ଗଛ ଶୁଖିଯାଏ। ଏହି ପାଇଁ ତୁଳସୀ ଉପରେ ଆଜିର ଦିନରେ ବସୁନ୍ଧରା ଠେକି ବନ୍ଧା ଯାଏ । ଯାହା ଦ୍ଵାରା ଏହି ଠେକିରୁ ନିର୍ଗତ ବିନ୍ଦୁ ବିନ୍ଦୁ ଜଳ ତୁଳସୀ ଗଛକୁ ଆଦ୍ରତା ପ୍ରଦାନ କରିଥାଏ । ଏଥିପାଇଁ ଆଜିର ଦିନକୁ ଠେକି ବନ୍ଧା ସଂକ୍ରାନ୍ତି ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *