ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ତେଣୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ବିଜୁ ଜୟନ୍ତୀ ପାଳନ କରାଯାଉଛି। ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ। ନବୀନଙ୍କ ସମେତ ବିଜେଡି ବହୁ ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ମଧ୍ୟ ଉପସ୍ଥିତ ରହିଛନ୍ତି। ଏହା ପୂର୍ବରୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର । ସେହିପରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ନିଜ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଓଡ଼ିଶା ପ୍ରତି ବିଜୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ । ଲୋକଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ। ଏହା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ଓ ବିଭିନ୍ନ ବିରଷ୍ଠ ନେତାଗଣ । ଅନ୍ୟପଟେ ବିଧାନସଭାରେ ପାଳନ ହୋଇଛି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ବିଧାନସଭା ପରିସରରେ ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା । ଏହା ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କିନ୍ତୁ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହେଲେନି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । Post navigation ଦ୍ବିତୀୟ ଦିନରେ ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲ୍ୟୁ; ଜବତ ହେଲାଣି ୨୦ ଗାଡି ସହ ୨୦୦ ବେନାମୀ ଆକାଉଣ୍ଟ ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା