ଆଜି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ । ଆଜିଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଲୋକସଭାରେ ମୋଟ ୮ଟି ଏବଂ ରାଜ୍ୟସଭାରେ ୫ଟି କାର୍ଯ୍ୟ ଦିବସ ରହିଛି । ୨୭ ତାରିଖ ଦିନ ସଂସଦର ଯୁଗ୍ମ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ବଳକା ଦିନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଆଜି ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ ବାଚସ୍ପତି । ଆଜି ଓ କାଲି ୨ଦିନ ଧରି ଚାଲିବ ଶପଥ ପାଠ । ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ ୨୮୦ ସାଂସଦ ଶପଥ ନେବେ। ଏଥିରେ ୨୫ ଜୁନରେ ବାକି ୨୬୪ ସାଂସଦ ଶପଥ ନେବେ।ଏହାପରେ ଆସନ୍ତା ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ତଥା ୭ଥରର ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି।

ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଭର୍ତ୍ତୃହରି ମହତାବ ସଂସଦ ଭବନରେ ପହଞ୍ଚି ସ୍ଵତନ୍ତ୍ର ଅଧିବେଶନର ଆରମ୍ଭ କରିବେ। ଏହାପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକି ଶପଥ ପାଠ କରାଇବେ। ଏହାପରେ କାମଚଳା ବାଚସ୍ପତି ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ ପ୍ଯାନେଲକୁ ଶପଥ ପାଠ କରାଇବେ। ଏହି ପ୍ଯାନେଲ ସଂସଦ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରିବାରେ ବାଚସ୍ପତିଙ୍କୁ ସହାୟତା କରିବେ। ୨୭ ଜୁନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ ୨୮ରେ ସରକାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଆଲୋଚନା ହେବ। ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନରେ କୌଣସି ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ।

Leave a Reply

Your email address will not be published. Required fields are marked *