ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ଫଳରେ ଏନବିଟି ପକ୍ଷରୁ ଦି ସାଗା ଅଫ୍ କୁଦୋପାଲି : ଦି ଅନ୍ ସଙ୍ଗ ଷ୍ଠୋରୀ ଅଫ୍ ୧୮୫୭ ପୁସ୍ତକ କୁ ଉନ୍ମୋଚନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଏହା ସହ କୁଦୋପାଲିର ବୀରମାନଙ୍କ ସ୍ମୃତିରେ ଏଭଳି ଏକ ଐତିହାସିକ ପୁସ୍ତକ ସଙ୍କଳନ ଓ ପ୍ରକାଶନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ଆଇସିଏଚଆର ଏବଂ ପୁସ୍ତକ ପ୍ରକାଶନ କରିବାରେ ସହଯୋଗୀ ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୮୫୭ର ସମ୍ବଲପୁର କୁଦୋପାଲି ଘଟଣା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟଣା ଠାରୁ କମ ନଥିଲା । କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ତଥା ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାର ଅବ୍ୟବହିତ ପୂର୍ବରୁ ଆଜି ଗଣମାନ୍ୟ ବ୍ୟକ୍ତିବିଶେଷଙ୍କ ଗହଣରେ ପୁସ୍ତକର ଇଂରାଜୀ ସଂସ୍କରଣକୁ ଉନ୍ମୋଚନ କରି ଗୌରବାନ୍ୱିତ ହୋଇଛି ।  ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ସମ୍ବଲପୁର ମାଟିରେ ସଂଗଠିତ ଏହି କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆଉ ମଧ୍ୟ କହିଛନ୍ତି  ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏନବିଟି ତରଫରୁ ଆୟୋଜିତ ହେଉଥିବା ସର୍ବବୃହତ ପୁସ୍ତକ ମେଳା ଅବସରରେ ଲୋକାର୍ପିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ କରିବା ପାଇଁ ଯୋଜନା ରହିଛି । ପୁସ୍ତକଟିକୁ ଓଡ଼ିଆ ସମେତ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶିତ କରିବା ପାଇଁ ଏନବିଟିକୁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ଆଜିର ପୁସ୍ତକ ଦ୍ୱାରା କୁଦୋପାଲିର ବଳିଦାନ ଓ ବୀରଗାଥା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ । ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ଗୌରବକୁ ଏହି ପୁସ୍ତକ ଏକ ଜାତୀୟ ସ୍ୱୀକୃତି ଆଣିଦେବ ।

Leave a Reply

Your email address will not be published. Required fields are marked *