ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଦୀର୍ଘ ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର । ଯେଉଁଥି ପାଇଁ ଦୀର୍ଘ ବର୍ଷ ହେଲା ଅପେକ୍ଷା କରାଯାଇଥିଲା । ତାହାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ ରାଜ୍ୟ ସରକାର ।ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଅର୍ଥାତ୍‌ ରବିବାର ରତ୍ନଭଣ୍ଡାର ଖୋଲାଯିବ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ କରାଯିବ ଏବଂ ସବୁ ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଆର୍‌ବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ ।

ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍‌ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ରତ୍ନଭଣ୍ଡାର ଖୋଲିବା ନେଇ କେବଳ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା । ପୂର୍ବରୁ ରତ୍ନ ଭଣ୍ଡାର କମିଟି ଏ ନେଇ ନିଷ୍ପତ୍ତି ନେଇସାରିଥିଲା । ତେବେ ରାଜ୍ୟ ସରକାର ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *