ରସୁଲଗଡ଼ ଓଭରବ୍ରିଜ ଉପରେ ପୁଲିସ ମିତ୍ର ଓ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡର ଆଜି କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଛି । ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ଦୟାନଦୀ କୂଳକୁ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଛି । ଅଭିଯୁକ୍ତ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଏକ ବ୍ୟାଗରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିବା ଜାଣିବା ପରେ ଅଭିଯୁକ୍ତକୁ ସେଠାକୁ ଅଣାଯାଇଛି। ଉକ୍ତ ବ୍ୟାଗକୁ ଲକ୍ଷ୍ମୀଧର ନଦୀରୁ ଆଣିଛି । ଅନ୍ୟପଟେ ଆଜି ସମସ୍ତ ୩ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ରକି ନାୟକ ଏବଂ ଲିପିକା ନାୟକଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।

ସୂଚନା ଯୋଗ୍ୟ, ଗତକାଲି ସକାଳେ ସହହେବ ନାୟକ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବେଳେ ରସୁଲଗଡ଼-ବାଣୀବିହାର ରାସ୍ତାରେ ଥିବା ଓଭର ବ୍ରିଜରେ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କାଟି ଫେରାର ହୋଇଯାଇଥିଲେ କିଛି ବ୍ୟକ୍ତି । ଏହା ପରେ ବ୍ରାଉନସୁଗାର କାରବାରକୁ ନେଇ ସହଦେବଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ସହଦେବଙ୍କ ସ୍ତ୍ରୀ । ଏହାପରେ କମିଶନରେଟ୍ ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ ଟିମ୍ ଖୋର୍ଦ୍ଧା ଏବଂ ନୟାଗଡ଼ ଅଭିମୁଖେ ବାହାରି ଥିଲା ।

ଏହାପରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଥିଲା । ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି, ଯିଏ କି ଏ ସମ୍ପୂର୍ଣ୍ଣ ଘଟଣାରେ ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନେ ହେଲେ ଲିପିକା ନାୟକ, ରକି ନାୟକ ଓ ଲକ୍ଷ୍ମୀଧର ନାୟକ । ବ୍ରାଉନ ସୁଗାର ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *