ଗତକାଲି ହୋଇଥିବା ଲିଙ୍ଗରାଜ ମନ୍ଦିରରେ ଅଘଟଣକୁ ନେଉ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଲିଙ୍ଗରାଜ ମନ୍ଦିରରେ ଏମିତି ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, ୩୦ ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି, କେବେ ଏମିତି ଘଟଣା ଘଟି ନଥିଲା । ଏବେର ସରକାର ଅବହେଳା କରିଛନ୍ତି । ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା । ହେଲେ ଏଥର ବାଲି ପଡ଼ି ନଥିଲା । ସରକାର ବାଲି ପକାଇବାକୁ ଭୁଲିଗଲେ । ଯାହାର ପରିଣାମ କ’ଣ ହେଲା କାଲି ସମସ୍ତେ ଦେଖିଲେ । ସେ ଆଉ ମଧ୍ୟ କହିଛନ୍ତି ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଗଲେ । ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଶ୍ବତପତ୍ର ଜାରିକଲେଣି ସରକାର । ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଗଲେ ।

ସେ ଆଉ ମଧ୍ୟ କହିଛନ୍ତି, ଲିଙ୍ଗରାଜ ଅଘଟଣର ଶ୍ୱେତପତ୍ର ଜାରି କରନ୍ତୁ ସରକାର । ସରକାର ଭଗବାନଙ୍କ ନାଁରେ ଭୋଟ୍ ନେଉଛନ୍ତି । ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ଠାକୁରଙ୍କ ନାଁ କହି ସରକାରକୁ ଆସିଛନ୍ତି । ଆଉ ଜିତିବା ପରେ ଏବେ ଠାକୁରଙ୍କ ପ୍ରତି ସିରିୟସ ନାହାନ୍ତି । ବାରମ୍ବାର ଠାକୁରଙ୍କ ରୀତିନୀତିରେ ଅଘଟଣ ଘଟୁଛି । ଠାକୁର ଏ ସରକାରକୁ ଦଣ୍ଡ ଦେବେ । ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଏସବୁର ସମୀକ୍ଷା କଲେ କି ? ଓଡ଼ିଶାର ଦୁଇଟି ବଡ ମନ୍ଦିରରେ ଏପରି ଘଟଣା ଘଟିଲା । ସରକାର ଯତ୍ନବାନ ହେବା କଥା ।

ସେହିପରି ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ଆହତ ହୋଇଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟି ପ୍ରଶାସନଙ୍କୁ ଟାର୍ଗେଟ କରିଛନ୍ତି  ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି । ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି । ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢ଼ିବା ବେଳେ ହଠାତ୍ ଗୋଡ଼ ଖସିଗଲା । ଫଳରେ ସେ ଡେଇଁ ପଡ଼ିଲେ । ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା । ଏହା ସହ ବର୍ଷ ବର୍ଷ ଧରି ସମର୍ଥା ସେବାୟତ ଜୀବନକୁ ବାଜି ଲଗାଇ ଦେଉଳ ଉପରକୁ ଯାଆନ୍ତି । ହେଲେ ତାଙ୍କ ପାଇଁ ବୀମା ମଧ୍ୟ ନାହିଁ । ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେବା ଉଚିତ୍।

ଅନ୍ୟପଟେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ମେୟର ପ୍ରଶାସନର ଅଂଶ ନାହାନ୍ତି କି ? ଠାକୁରଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ । କାଲି ମେୟର ବି ବ୍ୟବସ୍ଥାର ତଦାରଖ କରୁଥିଲେ, ତ୍ରୁଟି ଜଣାଇଲେନି କାହିଁକି? ଆଜି କାହିଁକି ତ୍ରୁଟି ଜଣାଉଛନ୍ତି । ବିରୋଧୀ କେବଳ ଆଙ୍ଗୁଳି ଦେଖାଇବା ପାଇଁ ବସି ନାହାନ୍ତି ।

Leave a Reply

Your email address will not be published. Required fields are marked *