ଯୋଗାଣମନ୍ତ୍ରୀଙ୍କ ପରେ ଏବେ ସମବାୟ ମନ୍ତ୍ରୀ ବାହାରିଲେ ମିଲର୍ସମାନଙ୍କ ସପକ୍ଷରେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ରବିବାର ଦିନ ଏଥିପାଇଁ ଓଲଟି ସରକାରଙ୍କୁ ଦାୟୀ କରିଛନ୍ତି । ବଡ଼ ବିଚିତ୍ର ଅବସ୍ଥା ମୋହନ ସରକାରଙ୍କର। ଆମ କେନ୍ଦ୍ରାପଡ଼ା ପ୍ରତିନିଧି ଜଣାଇଛନ୍ତି ଯେ, ଆଳି ନିଆଳ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନେ ମିଲରମାନଙ୍କ ଟ୍ରକକୁ ଅଟକାଇଥିଲେ। ମିଲର ସେମାନଙ୍କୁ ହଇରାଣ ହରକତ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ଏହି ଧାନ ମଣ୍ଡିରେ ଥିବା ଧାନ ଖରାପ ଦର୍ଶାଇ ପଟ୍ଟାମୁଣ୍ଡାଇ ରାଇସ ମିଲର ଆସିଥିବା ତିନୋଟି ଟ୍ରକ ଏଠାରୁ ଫେରି ଯାଇଥିଲା। ସେମାନେ ଦେମାଳ ମଣ୍ଡିରୁ ଧାନ ନେଇ ଫେରୁଥିଲାବେଳେ ଚାଷୀମାନେ ଅଟକାଇଥିଲେ ନିଆଳ ଛକରେ । ପରେ ମିଲର ପ୍ରତିଶ୍ରୁତି ଦେଲେ, ଅଟକ ଗାଡିକୁ ଛାଡିଲେ ଚାଷୀ। ଅର୍ଥାତ୍ ଟ୍ରକକୁ ଅଟକାଇ ରଖିବା ପରେ ମିଲର୍ସମାନେ ଧାନ ଉଠାଇବାକୁ ରାଜି ହେଲେ। ସେଠାରେ ଗୋଦାମ ସମସ୍ୟା ନଥିଲା, ଥିଲା ମିଲର୍ସମାନଙ୍କ ସମସ୍ୟା। ରାଜ୍ୟର ଚାରିଆଡ଼େ ମିଲର୍ସମାନଙ୍କ ମନମାନି ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଅତ୍ୟନ୍ତ ଦାୟିତ୍ବ ହୀନ ମନ୍ତବ୍ୟ ପରିସ୍ଥିତିକୁ ଜଟିଳ କରୁଛି । ମୁଖ୍ୟମନ୍ତ୍ରୀ ଅସହାୟ ଭାବେ ସବୁ ଦେଖୁଛନ୍ତି । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ମଣ୍ଡିରେ ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଆନ୍ଦୋଳନକୁ ନୋଟଙ୍କି କହିଥିଲେ । ଏବେ ସେ ସମ୍ପୂର୍ଣ୍ଣ ଚୁପ୍। ଚାଷୀ ସମସ୍ୟା ନେଇ ତାଙ୍କର କୌଣସି ନେଣଦେଣ ନାହିଁ। କାରଣ କନକ ବର୍ଦ୍ଧନ ସିଂହଦେଓ ହେଉଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ । ସେ କୃଷି ଓ ଶକ୍ତି ବିଭାଗର ଦାୟିତ୍ବରେ ଅଛନ୍ତି। ଆରମ୍ଭରୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ। ଶେଷରେ ଚାଷୀଙ୍କ ଘା’ରେ ଲୁଣ ଓ ଲଙ୍କାଗୁଣ୍ଡ ଛିଞ୍ଝାକୁ ଯାଇ କହିଲେ ଇନପୁଟ୍ ସବସିଡ୍ ମିଳିବ ନାହିଁ । କିନ୍ତୁ ଭାଜପାର ସଂକଳ୍ପ ପତ୍ରରେ ଧାନ କ୍ରିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ସମୟରେ ସବୁ ସ୍ଥାନରେ ଏହି ସୂଚନା ଦେଇଥିଲେ। ଏପର୍ଯ୍ୟନ୍ତ ସବୁଆଡ଼େ ଚାଷୀଙ୍କ ଠାରୁ ଧାନ କିଣାକୁ ନେଇ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଉଛି । ଚାରିଆଡ଼େ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। କଟନୀ ଛଟନୀ ସବୁ ମଣ୍ଡିରେ ଚାଲିଛି । କିନ୍ତୁ ଭାଜପା ସଂକଳ୍ପ ପତ୍ରରେ କଟନୀ ଛଟନୀ ହେବ ନାହିଁ ବୋଲି ଦିଆଯାଇଥିଲା ପ୍ରତିଶ୍ରୁତି । ଶେଷରେ ବାକିଥିଲେ ସମବାୟ ମନ୍ତ୍ରୀ । ସଫେଇ ଦେଲେ ଧାନ କିଣା ସଠିକ ଚାଲିଛି। ମନ୍ତ୍ରୀ ବଳ ସାମନ୍ତ କେନ୍ଦ୍ରାପଡ଼ାର ଆଳି ନିଆଳ ପ୍ରାଥମିକ କୃଷି ସମବାୟ ସମିତିର ଘଟଣା, ଚାଷୀଙ୍କ ବିରୋଧ ସମ୍ପର୍କରେ ଜାଣିନାହାନ୍ତି ନା ଏହାକୁ ଲୁଚାଉଛନ୍ତି । ସରକାରଙ୍କ ସବୁ ମନ୍ତ୍ରୀଙ୍କ କଥା ଲୁଚୁଛି ନା ଗୋଡ ଦୁଇଟି ଦିଶୁଛି ଭଳି। ସେ ଖୋଲାଖୋଲି ମିଲରମାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । କହିଛନ୍ତି ମିଲରମାନଙ୍କ ଗୋଦାମରେ ସ୍ଥାନ ନଥିବାରୁ ଧାନ କିଣା ପ୍ରକ୍ରିୟା ଧିମେଇ ଯାଇଛି। ସେମାନେ ଚାଷୀଙ୍କଠାରୁ ଧାନ ଉଠାଇ ପାରୁନାହାନ୍ତି । ଅର୍ଥାତ୍ ସବୁ ଦୋଷ ସରକାରଙ୍କର । ଚାଷୀଙ୍କଠାରୁ ଧାନ ନେଇ ଗୋଦାମରେ ରଖିବା ଘଟଣା ଚାଷୀଙ୍କର ନୁହେଁ, ସରକାରଙ୍କ ଦାୟିତ୍ଵ । ହେଲେ କ’ଣ କହିବାକୁ ଚାହୁଁଛନ୍ତି ପ୍ରଦୀପ ବଳସାମନ୍ତ । ଗୋଟିଏ ପଟେ କହୁଛନ୍ତି ଗୋଦାମ ନଥିବାରୁ ଧିମେଇ ଚାଲିଛି ଧାନ କିଣା ପ୍ରକ୍ରିୟା। ଅନ୍ୟପଟେ କହୁଛନ୍ତି ସବୁ ଠିକ୍ ଚାଲିଛି। ତେବେ ବଳ ସାମନ୍ତଙ୍କ କେଉଁ କଥାଟି ଠିକ୍। ସେ ପୁଣି କହିଛନ୍ତି ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ନକଲି ଚାଷୀ। ସରକାରଙ୍କୁ ବଦନାମ କରିବାର ଚେଷ୍ଟା କରୁଛନ୍ତି । ହେଲେ ଆଳି ନିଆଳ ସମବାୟ ସମିତିରେ ଯେଉଁ ଚାଷୀମାନେ ଧର୍ମଘଟ କରିଥିଲେ, ମିଲରଙ୍କ ଟ୍ରକ ଅଟକାଇଥିଲେ ସେମାନେ କ’ଣ ନକଲି ଚାଷୀ। ବଳସାମନ୍ତ କହିଛନ୍ତି ଗତବର୍ଷ ବଡ଼ଚାଷୀଙ୍କ ଠାରୁ ୫୦୦ କ୍ରିଣ୍ଟାଲ ଧାନ କିଣା ଜିଣା ଯାଇଥିଲା । ଏଥର ଯୋଗାଣ ମନ୍ତ୍ରୀ କହିଲେ ୧୫୦ କ୍ରିଣ୍ଟାଲରୁ ଅଧିକ ଧାନ କିଣାଯାଇପାରିବ ନାହିଁ । ବଡ଼ ବିଚିତ୍ର ପରିସ୍ଥିତି। ମାନି ବାକୁ ପଡ଼ିବ ମନ୍ତ୍ରୀମାନଙ୍କ କଥା। ଯେଉଁ ମନ୍ତ୍ରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ସେମାନେ ସରକାରଙ୍କୁ ଗଭୀ ଭୀର ଘାତ ଭିତରକୁ ଠେଲି ବାର ଉଦ୍ୟମରେ ଲାଗିପଡିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ବୁଝିବା ଦରକାର। ମିଲର୍ସମାନଙ୍କ ଗୋଦାମରେ ଜାଗା ନଥିବ କେମିତି । ସମ୍ଭବ ? ଧାନ କିଣା ଲକ୍ଷ୍ୟ ପୂରଣ ହୋଇନାହିଁ। ତେଣୁ ମିଲର୍ସମାନଙ୍କ ଗୋଦାମକୁ ଧାନ ଆସିଲା କେଉଁଠୁ ? ସମବାୟ ମନ୍ତ୍ରୀ ୧୫ ଦିନ ଟୋକନ ଅବଧି ବୃଦ୍ଧି କରାଯାଇଥିବା ଏବଂ ସବୁ ଠିକଠାକ ଚାଲିଥିବା କହିଲେ। ଜଣେ ମନ୍ତ୍ରୀ ଚାଷୀଙ୍କୁ ନୌଟଙ୍କି କହିଲେ, ଦଳ ନକଲି ଚାଷୀ କହିବା ପରେ ଏବେ ମନ୍ତ୍ରୀ ବଳ ସାମନ୍ତ ପୁଣି ଥରେ ନକଲି ଚାଷୀ କଥା କହିଛନ୍ତି । ଚାଷୀଙ୍କୁ ଅପମାନିତ, ଅସମ୍ମାନିତ କରି ମିଲର୍ସମାନଙ୍କ ଉଦ୍ଯମ ଓ ସ୍ୱାର୍ଥକୁ କାହିଁକି ପୂରଣ କରୁଛନ୍ତି ସରକାର ? ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଲେ ୧୫୦ କ୍ରିଣ୍ଟାଲରୁ ଅଧିକ ଧାନ କିଣାଯାଇପାରିବ ନାହିଁ କି ଅଧିକ ଇନପୁଟ ସବସିଡ୍ ମିଳିବ ନାହିଁ। ଚାଷୀଙ୍କୁ ନେଇ ମନ୍ତ୍ରୀମାନଙ୍କର ଏଭଳି ମନ୍ତବ୍ୟ ପରେ ସବୁଆଡ଼େ ବଢୁଛି ଅସନ୍ତୋଷ । ଭଗବାନ ଚାଷୀଙ୍କୁ ରକ୍ଷା କରନ୍ତୁ ଏବଂ ମୋହନ ସରକାରଙ୍କ ମନ୍ତ୍ରୀମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। Post navigation Jatani Election: ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ; ଜଟଣୀରୁ ଲଢ଼ିବା ନେଇ ଦେଲେ ସଂକେତ