କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ଯ ସମ୍ମିଳନୀ’ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀ କୁ ଉଦଘାଟନ କରିଥିଲେ |

ଏଥିପାଇଁ ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ।ଏହା ସହିତ ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମା’ମାନଙ୍କୁ ଅନୁରୋଧ କରିଥିଲେ।ମିଳିତ ଜାତିସଂଘର ପ୍ରତିନିଧି, କୃଷି ବୈଜ୍ଞାନିକ, ଗବେଷକ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଏବଂ ଅଗ୍ରଣୀ ମହିଳା କୃଷକଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଆଦିବାସୀ ସମ୍ପ୍ରଦାୟରେ ପୋଷଣ ଏବଂ କୃଷି ବ୍ଯବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି  ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି। ଶ୍ରୀ ଅନ୍ନ, ଜଳବାୟୁ-ସହନଶୀଳ ଗୁଣ ସହିତ ଏକ ପୁଷ୍ଟିକର ଫସଲ, ଏହାର ଗ୍ଲୁଟେନ-ମୁକ୍ତ, ଉଚ୍ଚ ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଗୁଣ ହେତୁ ଏକ ସୁପରଫୁଡ୍ ଭାବରେ ସ୍ୱୀକୃତି ପାଇଛି।

କାର୍ଯ୍ୟକ୍ରମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ସମ୍ପର୍କିତ ପୁସ୍ତକ ଉନ୍ମୋଚିତ ହେବା ସହିତ ମିଲେଟ ଉତ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା କୋରାପୁଟ, ସୁନ୍ଦରଗଡ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହିତ Best Millet Farmer ଭାବେ କଳାହାଣ୍ଡିର ସିତାରାମ କରକର୍ଲା, ଗଜପତିର ସାରଙ୍ଗ ସବର, ବଲାଙ୍ଗୀରର ଗୋଲାପ ବିଶି, Best Custodian Farmer ଭାବେ ନୂଆପଡାର ଲିଳାମ୍ବର ମାଝୀ, ସୁନ୍ଦରଗଡର ଜାକ୍ରିଆସ କଣ୍ଡୁଲନା ଓ ସମ୍ବଲପୁରର ଦେବବ୍ରତ ପ୍ରଧାନ, Best Forgotten Food Champion ଭାବେ କଳାହାଣ୍ଡିର କୌଶଲ୍ୟା ଗୌଡ, ବରଗଡର ରେଣୁକା ଦଂଶନ, ମୟୁରଭଞ୍ଜର ମଞ୍ଜୁଲତା ମହନ୍ତ ଏବଂ Special Awardee ଭାବେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମ ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିସ୍ମୃତ ଶସ୍ୟର ଉତ୍ପାଦନ କରି ଏହାକୁ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ଆମେ ଖାଉଥିବା ଖାଦ୍ୟ ଠାରୁ ଏହା ଅଧିକ ପୋଷକ ଓ ଭିଟାମିନଯୁକ୍ତ। ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ମିଲେଟ ଜାତୀୟ ଶସ୍ୟର ପୁନରୁଦ୍ଧାର ହୋଇଛି। ଆମ ସମସ୍ତଙ୍କୁ ଏହି ପୋଷକଯୁକ୍ତ ଖାଦ୍ୟକୁ ଆମ ଖାଦ୍ୟ ଶୃଙ୍ଖଳରେ ସାମିଲ କରିବାକୁ ପଡିବ।

ସରକାର ଶ୍ରୀ ଅନ୍ନର ଅଧିକ ଉତ୍ପାଦନ ପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ଏବଂ ଫୁଡ ବ୍ଲଗରମାନଙ୍କୁ ମାଣ୍ଡିଆ ସ୍ୱାଦିଷ୍ଟ କରିବା ପାଇଁ ନୂତନ ରେସିପି ଏବଂ ରୋଷେଇ ଶୈଳୀ ଆଣିବାକୁ ଉତ୍ସାହିତ କରୁଛନ୍ତି।ଏହି ସମ୍ମିଳନୀରେ ପ୍ରାୟ ବିଲୁପ୍ତପ୍ରାୟ ଖାଦ୍ଯଶସ୍ଯ ଏବଂ ବିଭିନ୍ନ ପ୍ରକାରର ପୁଷ୍ଟିକର ଫସଲ ଉପରେ ଏକ ପ୍ରଦର୍ଶନୀ ମଧ୍ଯପ୍ରଦର୍ଶିତ ହୋଇଥିଲା। ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି କ୍ଷେତ୍ରରେ ବିବିଧତାର ଆବଶ୍ଯକତା ଏବଂ ଏହାର ବ୍ୟାପକ ଉପଯୋଗ ପାଇଁ ପାରମ୍ପରିକ ପଦ୍ଧତି ସହିତ ବୈଜ୍ଞାନିକ ଜ୍ଞାନର ବ୍ଯବହାର ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ (ଡବ୍ଲୁଏଚଓ) ର ପୂର୍ବତନ ମୁଖ୍ଯ ବୈଜ୍ଞାନିକ ତଥା ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ଯକ୍ଷ ସୌମ୍ୟା ସ୍ୱାମୀନାଥନ ଏହି ବହୁ-ଭିଟାମିନ୍ ଫସଲର ପ୍ରସାର ଏବଂ ବ୍ୟାପକ ବ୍ଯବହାର ପାଇଁ ଆହ୍ୱାନ କରିଥିଲେ। ଏହା ସହ ଏହି ସମ୍ମିଳନୀ ରେ କୋରାପୁଟ ଜିଲ୍ଲା କୁ ମିଲେଟ ଉତ୍ପାଦନ କ୍ଷେତ୍ର ରେ ଉତ୍କର୍ଷତା ପାଇଁ ସମ୍ମାନିତ କରାଯାଇଛି |

Leave a Reply

Your email address will not be published. Required fields are marked *