ବିଜେପିର ବାଚସ୍ପତି ପ୍ରାର୍ଥୀ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି ପାଇଁ ମନୋନୀତ କରାଯାଇଛି। ମନୋନୀତ ହେବାପରେ ସୁରମା ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ ଓ ବିଜେପିର ଅନ୍ୟ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ସୁରମା ପାଢୀ ।

ସୁରମା ଭାଜପାର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଜଣାଶୁଣା। ସେ ପୂର୍ବରୁ ମଧ୍ୟ ୨୦୦୪ରୁ ୨୦୦୯ ଯାଏଁ ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି ଦଳ ।

ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଏହି ପଦରେ ରହିଥିଲେ । ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ହୋଇଥିଲେ।

ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ। ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ୨୦୦୯ , ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୨୪ ରେ ପୁଣି ଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *